ଭୁବନେଶ୍ୱର : ବିଧାନସଭା ଭିତରେ ମୁହାଁମୁହିଁ ହେବା ପୂର୍ବରୁ ବାହାରେ ସରଗରମ ରାଜନୀତି । ଆସନ୍ତା ୩୦ ତାରିଖରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଦେଶର ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ପ୍ରସଙ୍ଗରେ ଆଲୋଚନା ହେବ । ବିରୋଧୀଙ୍କ କହିବା କଥା ଏହି ଅଧିବେଶନ କେବଳ ପ୍ରହସନ ପାଇଁ ଡକାଯାଇଛି । ମହିଳା ସଂରକ୍ଷଣ ବିଲକୁ ନେଇ ଆପତ୍ତି ଉଠାଇନାହାନ୍ତି ବିଜେଡି ଓ କଂଗ୍ରେସ । ୨୦୨୩ରେ ସଂସଦରେ ସର୍ବସମ୍ମତିରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା । ଏଥିରେ ବିଜେଡି ଓ କଂଗ୍ରେସର ସମର୍ଥନ ଥିଲା । ଏବେ ମହିଳାଙ୍କ ନାଁରେ ରାଜନୈତିକ ମାଇଲେଜ ନେବାକୁ ଉଦ୍ୟମ କରାଯାଉଛି ।
ସଂସଦର ସ୍ବତନ୍ତ୍ର ତିନିଦିନିଆ ଅଧିବେଶନରେ ସମ୍ବିଧାନ ସଂଶୋଧନ ପାଇଁ ବିଲ୍ ଆସିଥିଲା । ୨୦୧୧ ଜନଗଣନା ଅନୁସାରେ ଲୋକସଭା ଆସନ ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ସରକାର ଚାହୁଁଥିଲେ । ଯାହାକୁ ନେଇ କଂଗ୍ରେସ ଓ ବିଜେଡି ଆପତ୍ତି ଉଠାଇଥିଲେ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଓଡ଼ିଶାର ସମସ୍ତ ସାଂସଦଙ୍କୁ ଚିଠି ଲେଖିଥିଲେ। ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ସହ ରାଜ୍ୟର ସ୍ୱାର୍ଥ ଓ ସମ୍ମାନ ରକ୍ଷା ପାଇଁ ସମସ୍ତେ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ।
ନବୀନ ସ୍ପଷ୍ଟ ଭାବେ କହିଛନ୍ତି, ବିଧାନସଭା ଓ ସଂସଦରେ ମହିଳାମାନଙ୍କୁ ଏକ-ତୃତୀୟାଂଶ (୩୩%) ସିଟ୍ ମିଳିବାକୁ ସେ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି। କିନ୍ତୁ ମହିଳା ସଂରକ୍ଷଣ ସହ ସୀମା ନିର୍ଦ୍ଧାରଣକୁ ଯୋଡ଼ିବା ପ୍ରସଙ୍ଗରେ ସେ ଦୃଢ଼ ବିରୋଧ କରିଥିଲେ। କେନ୍ଦ୍ର ସରକାର ଗଳାବାଟ ଦେଇ ସୀମା ପୁନଃନିର୍ଦ୍ଧାରଣ ଲଦି ଦେବାକୁ ଚାହୁଁଥିଲେ ବୋଲି କଂଗ୍ରେସ କହିଛି। ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ନେଇ ଆରମ୍ଭ ହୋଇଛି ବାକଯୁଦ୍ଧ। ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍ ପାସ ନହେବାରୁ ବିରୋଧୀଙ୍କୁ ଘେରିଛି ବିଜେପି ।
