ଭୁବନେଶ୍ୱର : ବାଲିପାଟଣାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କଙ୍ଗାରୁ କୋର୍ଟ ମାଧ୍ୟମରେ ହତ୍ୟା ପରେ ଏହାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ଲୋକସେବା ଭବନରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଇନକୁ ହାତକୁ ନେଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ପୋଲିସ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯିବା ଘଟଣା ରାଜ୍ୟର ଆଇନ ବ୍ୟବସ୍ଥା ପ୍ରତି ଏକ ଆହ୍ୱାନ । ତେଣୁ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଁ ଗହଳିରେ ବେଆଇନ ଭାବେ ବସୁଥିବା କଙ୍ଗାରୁ କୋର୍ଟ ବା ମଧ୍ୟଯୁଗୀୟ ବିଚାର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏଭଳି ବୈଠକ ଆୟୋଜନ କରୁଥିବା ମୁଖ୍ୟସୂତ୍ରଧରଙ୍କ ବିରୋଧରେ ଜାମିନ ବିହୀନ ଦଫା ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମାଞ୍ଚଳରେ ଘଟୁଥିବା ଛୋଟ ଛୋଟ ଗଣ୍ଡଗୋଳର ଖବର ଯେପରି ଠିକ୍ ସମୟରେ ଥାନାରେ ପହଞ୍ଚିବ, ସେଥିପାଇଁ ଗୁଇନ୍ଦା ବ୍ୟବସ୍ଥାକୁ ସଜାଗ ରଖିବାକୁ କୁହାଯାଇଛି ।
ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଥାନା ଅଧିକାରୀଙ୍କ ଉତ୍ତରଦାୟିତ୍ୱ ସହ ଫାଷ୍ଟ ଟ୍ରାକ ଟ୍ରାଏଲ ମାଧ୍ୟମରେ ଦ୍ରୁତ ନ୍ୟାୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ସଚିବ, ଡିଜିପି ୱାଇ ବି ଖୁରାନିଆ, ପୋଲିସ କମିସନର ଓ ଭୁବନେଶ୍ବର ଡିସିପି ଯୋଗ ଦେଇଥିଲେ ।
