ନୂଆଦିଲ୍ଲୀ : ଧାନଚାଷୀଙ୍କ ପାଇଁ ଖୁସି ଖବର । ଖରିଫ ଫସଲ ବୁଣିବା ପୂର୍ବରୁ ଚାଷୀଙ୍କ ପାଇଁ ଖୁସି ଖବର ଆଣିଲେ କେନ୍ଦ୍ର ସରକାର । ଆସନ୍ତା ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ଚାଷୀଙ୍କୁ ଏବେ ନିଜ ଆମଦାନୀର ଅଧିକ ଦାମ୍ ମିଳିବ । ଏହି ଦର ବୃଦ୍ଧି ପରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୪୪୧ ଟଙ୍କାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସରକାର ଆସନ୍ତା ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରି ୨୪୪୧ ପ୍ରତି କୁଇଣ୍ଟାଲ କରିଛନ୍ତି । ସେହିଭଳି ଗ୍ରେଡ୍ ଏ ଧାନ କୁଇଣ୍ଟାଲ ପ୍ରତି ୨୪୬୧ ଟଙ୍କା ହୋଇଛି । ଏହାସହ କେନ୍ଦ୍ର କ୍ୟାବିନେଟରେ ୪ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏଥିରେ ୧୪ ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ଏମଏସପି ବୃଦ୍ଧି ପରେ ଏଥିରେ ଖର୍ଚ୍ଚ ହେବାକୁ ଥିବା ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି ।
ସେହିପରି ସୂର୍ଯ୍ୟମୁଖୀର ସର୍ବନିମ୍ନ ସହାୟକ ମୂଲ୍ୟ ୬୨୨ ଟଙ୍କା ବୃଦ୍ଧି ହେଇ ୮,୩୪୩ ପ୍ରତି କୁଇଣ୍ଟାଲ କରିଦିଆଯାଇଛି । କପାର ସର୍ବନିମ୍ନ ସହାୟକ ମୂଲ୍ୟ ୫୫୭ ଟଙ୍କା ବୃଦ୍ଧି କରାଯାଇଛି । ଏହାଛଡା ବିରି, ମୁଗ, ସୋୟାବିନ, ବାଜରା ଏବଂ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ।
