ଭୁବନେଶ୍ୱର, ୧୫ ମେ: ଚନ୍ଦ୍ରଶେଖରପୁରସ୍ଥିତ ମମତା ଚାରିଟେବୁଲ ଟ୍ରଷ୍ଟର ଆନୁକୂଲ୍ୟରେ ମାତୃ ଦିବସ ଉପଲକ୍ଷେ ଏକ ପୂଜନ ଓ ସମ୍ମାନ କାର୍ଯ୍ୟକ୍ରମ ଭବ୍ୟ ଭାବେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଡା. ମମତା ମହାନ୍ତି ସଭାପତିତ୍ୱ କରି ମାତୃଶକ୍ତିର ମହାନତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, “ମା”ଙ୍କର ନିଃସ୍ୱାର୍ଥ ପ୍ରେମ ହିଁ ଭଗବାନଙ୍କ ଆଶୀର୍ବାଦ ସ୍ୱରୂପ। “ମା” ହେଉଛନ୍ତି ଜୀବନର ପ୍ରଥମ ପ୍ରେମ ଓ ପ୍ରଥମ ଶିକ୍ଷକ। ସମାଜ ଗଠନରେ ମାତୃଶକ୍ତିର ଭୂମିକା ସର୍ବପ୍ରଧାନ ବୋଲି ସେ ଉଲ୍ଲେଖ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଶ୍ରୀ ପ୍ରଣବ ପ୍ରସାଦ ଛୋଟରାୟ କହିଥିଲେ ଯେ, ମାନେ ନିଜ ସନ୍ତାନମାନଙ୍କୁ ସାହସୀ, ସ୍ୱାଭିମାନୀ ଓ ଚାରିତ୍ରିକ ମୂଲ୍ୟବୋଧ ସମ୍ପନ୍ନ କରି ଗଢ଼ି ତୋଳିବା ଉଚିତ୍। ସ୍ୱାମୀ ବିବେକାନନ୍ଦଙ୍କ ଭଳି ଆଦର୍ଶ ସନ୍ତାନ ସୃଷ୍ଟି ପାଇଁ ମାତୃଶକ୍ତିର ଅବଦାନ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।
ସୁନାମଧନ୍ୟ ଶିକ୍ଷାବିତ୍ ଡା. ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମଟିକୁ ସଫଳ ଭାବେ ପରିଚାଳନା କରିଥିଲେ। Kiit ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ମାତୃଶକ୍ତିର ଏକାଗ୍ରତା, ଆଦର୍ଶ ଓ ଆର୍ଯ୍ୟ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶତାଧିକ ମାତୃଶକ୍ତି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ସ୍ୱେଚ୍ଛାସେବୀ ସଂଗଠକ ପ୍ରଦ୍ୟୁମ୍ନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ kiit ବିଶ୍ୱବିଦ୍ୟାଳୟର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।
