ଭୁବନେଶ୍ୱର : ରାଜ୍ୟରେ ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ ଅନୁ ଗର୍ଗ । ରାଜ୍ୟରେ ନାହିଁ ତୈଳ ଅଭାବ, ସ୍ଥିତି ସ୍ବାଭାବିକ ରହିଛି । ପେଟ୍ରୋଲ ପମ୍ପରେ ଭିଡ଼ ନକରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ନିୟମିତ ସ୍ଥିତି ମନିଟର କରିବାକୁ ତୈଳ କଂପାନୀଙ୍କୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ ତେଲର ଅଭାବ ନଥିଲା । କିନ୍ତୁ ସହରାଞ୍ଚଳରେ ଲୋକଙ୍କ ପାନିକ୍ ବାୟିଂ ପ୍ରବୃତ୍ତି, ଗୁଜବ ଏବଂ ପ୍ରଶାସନିକ ସ୍ତରରେ ପରିଚାଳନାଗତ ତ୍ରୁଟି ହିଁ ସଂକଟ ଛିଡ଼ା କରିଦେଲା । ଫଳରେ ଲୋକଙ୍କୁ ହିନସ୍ତା ହେବାକୁ ପଡ଼ିଲା ।
ଏବେ ପେଟ୍ରୋଲ ପମ୍ପରେ ନାହିଁ ଗହଳି । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଲମ୍ବାଲାଇନ ଲାଗୁଥିବା ବେଳେ ପେଟ୍ରୋଲ ପମ୍ପ ଏବେ ଶୂନଶାନ । ଆଜି ଲୋକସେବା ଭବନରେ ତୈଳ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ଅନୁ ଗର୍ଗ । ରାଜ୍ୟରେ କୌଣସି ସ୍ଥାନରେ ତୈଳର ଅଭାବ ନାହିଁ। ଲୋକ ମାନେ ଅଯଥାରେ ପେଟ୍ରୋଲ ପମ୍ପରେ ଭିଡ଼ କରନ୍ତୁ ନାହିଁ କି ହୋର୍ଡିଂ କରନ୍ତୁ ନାହିଁ। ସ୍ଥିତି ସ୍ୱାଭାବିକ ଅଛି। ନିୟମିତ ଭାବେ ସ୍ଥିତି ମନିଟର କରିବାକୁ ତୈଳ କମ୍ପାନୀଙ୍କୁ କୁହାଯାଇଛି । ବିଭିନ୍ନ ସ୍ଥାନରେ ହୋର୍ଡିଂ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ମୁଖ୍ୟସଚିବ ।
ତୈଳ ଅଭାବ ଯୋଗୁ ବିଭିନ୍ନ ସ୍ଥାନରେ ପେଟ୍ରୋଲ ବନ୍ଦ ଥିଲା । ସଂକଟ ଟଳିବା ପରେ ଏବେ ବନ୍ଦ ପେଟ୍ରୋଲ ପମ୍ପ ଖୋଲିଲାଣି । ତେବେ ମାଲାକାନଗିରି ସମେତ କିଛି ସ୍ଥାନରେ ପେଟ୍ରୋଲ ପମ୍ପରେ ଏବେବି ଭିଡ଼ ଲାଗିଛି । ତୈଳ ଷ୍ଟକ ଅଛି ସରକାର କହୁଥିବା ବେଳେ ତଥାପି କାହିଁକି ଶୁଖିଲା ପଡ଼ିଲା ଟାଙ୍କି । ଯଦିଓ ସମସ୍ୟାର ମୂଳ କାରଣ ଅନ୍ତର୍ଜାତୀୟ ବଜାର, ତେବେ ଲୋକଙ୍କ ଆଚରଣଗତ ଶୈଳୀ ଓ ଖୁଚୁରା ବ୍ୟବସାୟ ପରିଚାଳନାର ତ୍ରୁଟି ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ। ସ୍ଥିତିକୁ ହଠାତ ସଂଗୀନ କରିଦେଲା ସ୍ଥାନୀୟ ଚାହିଦା ଓ ଗୁଜବ । ତେଲ ଟାଙ୍କି ଖାଲି ହୋଇ ଯିବା ଭୟରେ ସହରାଞ୍ଚଳରେ ‘ପ୍ୟାନିକ୍ ବାୟିଂ’ ଆରମ୍ଭ ହେଲା। ଫଳରେ ଦୈନିକ ତେଲ ଚାହିଦା ହଠାତ୍ ୩୦ ରୁ ୫୦ ପ୍ରତିଶତ ବୃଦ୍ଧି ପାଇଲା।
ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଆଦି ଅଞ୍ଚଳରେ ଚାହିଦା ଅପ୍ରତ୍ୟାଶିତ ଭାବେ ବଢ଼ିଗଲା। ଦର ଓ ଯୋଗାଣରେ ସାମାନ୍ୟ ପାର୍ଥକ୍ୟ ଥିବାରୁ ପଡ଼ୋଶୀ ରାଜ୍ୟର ଗାଡ଼ିଗୁଡ଼ିକ ଓଡ଼ିଶା ସୀମାରେ ତେଲ ପକାଇବା ଯୋଗୁଁ ସ୍ଥାନୀୟ ଷ୍ଟକ୍ ଶୀଘ୍ର ଶେଷ ହୋଇଗଲା । ପେଟ୍ରୋଲ୍ କଳାବଜାରୀ ହେଉଥିବା ଭଳି ମିଥ୍ୟା ଖବର ସ୍ଥିତିକୁ ଆହୁରି ଜଟିଳ କରିଦେଲା ।
ହ୍ୱାଟସ୍ ଆପ୍ ଗ୍ରୁପ୍ ଏବଂ ଫେସବୁକ୍ ରେ ଭାଇରାଲ୍ ହେଉଥିବା “No Stock” ବୋର୍ଡ ଭିଡିଓ ଦେଖି ଟାଙ୍କି ଅଧା ଥିବା ଲୋକ ମଧ୍ୟ ଭୟରେ ଆସି ଲାଇନ୍ ଲଗାଇଲେ । ପ୍ରଶାସନିକ ଓ ପରିଚାଳନାଗତ ତ୍ରୁଟି କୃତ୍ରିମ ସଂକଟର ଅନ୍ୟତମ ବଡ଼ କାରଣ । ଖୁଚୁରା ସ୍ତରରେ ପେମେଣ୍ଟ ଓ ଷ୍ଟକ୍ ପରିଚାଳନାରେ ବିଳମ୍ବ ଯୋଗୁ ସଂକଟ ସୃଷ୍ଟି ହେଲା । ନିକଟରେ ତେଲ କମ୍ପାନୀଗୁଡ଼ିକ ଡିଲରମାନଙ୍କୁ ୩-୪ ଦିନ ପରିବର୍ତ୍ତେ ମାତ୍ର ୨ ଦିନର ବଫର ଷ୍ଟକ୍ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସାଧାରଣ ସମୟରେ ଏହି ସ୍ୱଳ୍ପ ଷ୍ଟକ୍ ବ୍ୟବସ୍ଥା ଭଲ ଚାଲେ । କିନ୍ତୁ ହଠାତ୍ ଚାହିଦା ବଢ଼ିବାରୁ ଏହି ‘ଲିନ୍ ଇନଭେଣ୍ଟ୍ରି’ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲା । ଭଦ୍ରକ, କେନ୍ଦୁଝର ଏବଂ ପାରାଦୀପ ଭଳି ସ୍ଥାନରେ ଯୋଗାଣ କମିଟି ଗଠନ ହେବା ପୂର୍ବରୁ ହିଁ ଗୁଜବ ସହରସାରା ବ୍ୟାପି ସାରିଥିଲା। ପ୍ରଶାସନର ସ୍ପଷ୍ଟୀକରଣ ଆସିବା ବେଳକୁ ପେଟ୍ରୋଲ୍ ପମ୍ପଗୁଡ଼ିକରେ ଅସମ୍ଭାଳ ଭିଡ଼ ଜମି ସାରିଥିଲା । ଏବେ ତୈଳ ସଂକଟ ସ୍ଥିତି ସୁଧୁରିଛି ।
