ଭୁବନେଶ୍ୱର, ତା. ୨୧/୦୫: ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ଓ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲର ମିଳିତ ଆନୁକୂଲ୍ୟରେ ରାଜୀବ ଗାନ୍ଧୀଙ୍କ ୩୫ତମ ଶ୍ରାଦ୍ଧ ଉତ୍ସବ ଏବଂ ରାଜ୍ୟସ୍ତରୀୟ “ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ ଉତ୍ସବ–୨୦୨୫” ଜୟଦେବ ଭବନ, ଭୁବନେଶ୍ୱରରେ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଡଃ ଡି.ପି. ଚୌଧୁରୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଯୁବପିଢ଼ି ହେଉଛନ୍ତି ଦେଶର ସମ୍ଭାବନାର ଶକ୍ତି। ରାଜୀବ ଗାନ୍ଧୀ ଭାରତକୁ ଶୋଷଣ, ଦୁର୍ନୀତି ଓ ବୈଷମ୍ୟମୁକ୍ତ ସମାଜରେ ପରିଣତ କରିବାକୁ ସଂକଳ୍ପବଦ୍ଧ ଥିଲେ। ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ।

ସେ ଆହୁରି କହିଥିଲେ ଯେ, ଭୋଟ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଅସ୍ତ୍ର। ଆଜିର ଯୁବସମାଜ ମଦ, ମାଂସ ଓ ପ୍ରଲୋଭନରେ ପଡି ନିଜ ଅମୂଲ୍ୟ ଭୋଟକୁ ବ୍ୟର୍ଥ ନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।
ମୁଖ୍ୟବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ କହିଥିଲେ ଯେ, ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା, ତାହାର ଫଳ ଆଜିର ଯୁବପିଢ଼ି ଉପଭୋଗ କରୁଛନ୍ତି। ସେ ଦୁଃଖ ପ୍ରକାଶ କରି କହିଥିଲେ ଯେ, ଦେଶର ଅନେକ ମେଧାବୀ ଛାତ୍ରଛାତ୍ରୀ ଅର୍ଥଲୋଭରେ ବିଦେଶରେ ବସବାସ କରୁଥିବାବେଳେ ନିଜ ମାତୃଭୂମି ଓ ପିତାମାତାଙ୍କ ସେବାକୁ ଭୁଲିଯାଉଛନ୍ତି।

ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଥିବା ସମୟରେ ରାଜୀବ ଗାନ୍ଧୀ ସରକାରୀ ଅନୁଦାନର ୧ ଟଙ୍କାରୁ ୮୦ ପଇସା ବାଟମାରଣା ହେଉଥିବା କଥା ସ୍ୱୀକାର କରି ନିଜ ସରକାରକୁ ସମାଲୋଚନା କରିବାର ସାହସ ଦେଖାଇଥିଲେ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଥିଲେ ଯେ, ୧୮ ବର୍ଷ ବୟସରେ ଭୋଟଦାନ ଅଧିକାର ପ୍ରଦାନ କରିବା ରାଜୀବ ଗାନ୍ଧୀଙ୍କ ଐତିହାସିକ ନିଷ୍ପତ୍ତି ଥିଲା। ସର୍ବଧର୍ମ ସମଭାବ, ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ସୁଯୋଗ ଓ କେବିକେ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ତାଙ୍କ ଅବଦାନକୁ ସ୍ମରଣୀୟ କରିଛି।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଦୈନିକ ପର୍ଯ୍ୟବେକ୍ଷକ ଏବଂ କଳିଙ୍ଗ କ୍ରୋନିକଲର ମୁଖ୍ୟ ସମ୍ପାଦକ ଡଃ ପବିତ୍ର ମୋହନ ସାମନ୍ତରାୟ ଯୋଗଦେଇ ରାଜୀବ ଗାନ୍ଧୀଙ୍କ ବହୁମୁଖୀ ପ୍ରତିଭା ଓ ନେତୃତ୍ୱ ବିଷୟରେ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ।
ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ କହିଥିଲେ ଯେ, ଆଜି ସମ୍ମାନିତ ହୋଇଥିବା ପ୍ରତିଭାବାନ ଛାତ୍ରଛାତ୍ରୀ ଓ ଯୁବମାନେ ଯଦି ନିଜ କର୍ମମୟ ଜୀବନରେ ସେବାମନୋଭାବ ନେଇ କାର୍ଯ୍ୟ କରନ୍ତି, ତେବେ ସେହିଥିବ ରାଜୀବ ଗାନ୍ଧୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ର ଉତ୍ତର ଓଡ଼ିଶା ସଂଯୋଜକ ଜ୍ୟୋସ୍ନା ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଏନ୍ସିସି, ଏନ୍ଏସ୍ଏସ୍, ଯୁବ ରେଡକ୍ରସ୍, ସ୍କାଉଟ୍ ଓ ଗାଇଡ୍, ବିଜ୍ଞାନ, କଳା, ସଙ୍ଗୀତ, ସାହିତ୍ୟ, ଓଡିଶୀ ନୃତ୍ୟ, ଖେଳ, ଅଭିନୟ ଓ ସମାଜସେବା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ରାଜ୍ୟର ୧୪୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ଓ ଯୁବକଙ୍କୁ “ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ–୨୦୨୫” ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମକୁ କୃଷ୍ଣଚନ୍ଦ୍ର ସାହୁ, ପ୍ରିୟବ୍ରତ ନାୟକ, ଅନୀଲ ଛୁଆଳ ସିଂହ, ମିର ଅବୁବକର ସିଦ୍ଦିକି, ପ୍ରକାଶ ଚନ୍ଦ୍ର ନାୟକ, ଦେବେନ୍ଦ୍ର ଦାସ, ବିନୋଦ ରାଉତ, ସାଗର ରଞ୍ଜନ ପରିଡ଼ା, ଶିବ ପ୍ରସାଦ ଦାସ ଓ ଅନିଲ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସଂଗଠନର ସାଧାରଣ ସମ୍ପାଦକ ମାନସ ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ।
ଫଟୋ କ୍ୟାପ୍ସନ୍:
ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ “ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ ଉତ୍ସବ–୨୦୨୫”ରେ ଅତିଥିମାନଙ୍କ ଦ୍ୱାରା ପ୍ରତିଭାବାନ ଛାତ୍ରଛାତ୍ରୀ ଓ ଯୁବମାନଙ୍କୁ ସମ୍ମାନିତ କରାଯାଉଥିବା
