ଭଦ୍ରକ : ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ସନ୍ଧ୍ୟା ୫ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ହୋଇଥିବା ଭୟଙ୍କର କାଳବୈଶାଖୀ ଲୋକଙ୍କ ମନରେ ଆତଙ୍କ ଖେଳାଇଦେଇଛି । ହଠାତ୍ ଆକାଶ କଳାମେଘରେ ଢାଙ୍କିଯାଇଥିବା ବେଳେ ଝଡ଼ର ରୂପ ନେଇଥିବା ପ୍ରବଳ ପବନ ସହ ମୁଷଳଧାରା ବର୍ଷା ହୋଇଛି । ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରାୟ ଏକ ଘଣ୍ଟା ଧରି ତୀବ୍ର ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ଲୋକମାନଙ୍କୁ ଭୟଭୀତ କରିଦେଇଥିଲା ।
ପ୍ରବଳ ପବନର ପ୍ରଭାବରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଓ ଘର ଉପରେ ପଡ଼ିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଧାମନଗର-ଚୁଡ଼ାକୁଟି ରାସ୍ତାରେ ଗଛ ପଡ଼ିବା ଦ୍ୱାରା ଗାଡି ଚଳାଚଳ ବନ୍ଦ ରହିଛି । ସେହିପରି କୁସୁମା, ଖଡିପଦା, କାଞ୍ଜିଆପାଳ ଓ ବ୍ଲକ ବଜାର ଅଞ୍ଚଳରେ ଗଛ ଭାଙ୍ଗି ବିଦ୍ୟୁତ୍ ଖୁଣ୍ଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।
ଝଡ଼ର ତୀବ୍ରତା ଏତେ ଅଧିକ ଥିଲା ଯେ ବହୁ ସ୍ଥାନରେ ମୋଟର ସାଇକେଲ ମଧ୍ୟ ଉଡାଇ ରାସ୍ତା କଡରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଧାମନଗର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ କାଟି ହଟାଇବା କାମ ଆରମ୍ଭ କରିଛନ୍ତି । ବିଦ୍ୟୁତ୍ ବ୍ୟବସ୍ଥାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଝଡ଼ ଥମିବା ପରେ ଲୋକମାନେ ଭୟଭୀତ ଅବସ୍ଥାରେ ଘରୁ ବାହାରି କ୍ଷୟକ୍ଷତିର ଚିତ୍ର ଦେଖିଥିଲେ ।
