ପୁରୀ : ଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ବଡ଼ ପଦକ୍ଷେପ । ପରମ୍ପରା ରକ୍ଷା ପାଇଁ ଗଜପତିଙ୍କ ଅପିଲ୍! । ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା!। ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶାସ୍ତ୍ରୀୟ ନୀତିର ସୁରକ୍ଷା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ISKCON ଦ୍ୱାରା ବିଦେଶରେ ମନଇଚ୍ଛା ଓ ଶାସ୍ତ୍ର ବିରୋଧୀ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଜରୁରୀ ହସ୍ତକ୍ଷେପ ଲୋଡ଼ିଛନ୍ତି । ଇସ୍କନ ବିଦେଶର ବିଭିନ୍ନ ସହରରେ ଶାସ୍ତ୍ରସମ୍ମତ ନୀତି ବାହାରେ ଅନ୍ୟ ତିଥିରେ ରଥଯାତ୍ରା କରୁଛି ।
ଯାହା ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଗଭୀର ଆଘାତ ଦେଇଛି ବୋଲି ଗଜପତି ମହାରାଜା ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି । ପୁରୀ ଶଙ୍କରାଚାର୍ଯ୍ୟ ଓ ଅନ୍ୟ ବୈଷ୍ଣବ ଆଚାର୍ଯ୍ୟମାନେ ମଧ୍ୟ ଏହି ପ୍ରଥାକୁ ଦୃଢ଼ ନିନ୍ଦା କରିଛନ୍ତି। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ପର୍ବ କେବଳ ନିର୍ଦ୍ଦିଷ୍ଟ ତିଥିରେ ହିଁ ହେବା ଉଚିତ। ଦୀର୍ଘ ଆଲୋଚନା ପରେ ଇସ୍କନ ଭାରତ ମଧ୍ୟରେ ସଠିକ୍ ତିଥିରେ ରଥଯାତ୍ରା କରିବାକୁ ସମ୍ମତି ପ୍ରକାଶ କରିଛି । ତେବେ ବିଦେଶରେ ଏହି ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଛି। ଚଳିତ ବର୍ଷ ବିଦେଶର ପ୍ରାୟ ୭୦ ରୁ ଅଧିକ ସହରରେ ଭୁଲ୍ ତିଥିରେ ରଥଯାତ୍ରା ଓ ୧୦ ସହରରେ ସ୍ନାନଯାତ୍ରା ଆୟୋଜନ କରିବାକୁ ଇସ୍କନ ପ୍ରସ୍ତୁତି କରୁଛି।
ଯାହା ସମ୍ପୂର୍ଣ୍ଣ ଚିନ୍ତାଜନକ। ଗଜପତି ଏହାର ସମାଧାନ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ପୂର୍ବରୁ ଗଜପତି ମହାରାଜା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଶାସ୍ତ୍ରୀୟ ପ୍ରମାଣର ଉଦାହରଣ ଦେଇଥିଲେ। ଶାସ୍ତ୍ର ଅନୁଯାୟୀ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଓ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଇସ୍କନ ଦଶନ୍ଧି ଦଶନ୍ଧି ଧରି ବିଦେଶରେ ମନଇଚ୍ଛା ଏହି ପର୍ବ ପାଳନ କରିଆସୁଛି। ଗତବର୍ଷ ମଧ୍ୟ ବିଦେଶରେ ପ୍ରାୟ ୬୮ଟି ମନ୍ଦିରରେ ଅଦିନିଆରଥଯାତ୍ରା କରାଯାଇଥିଲା।
ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ସନାତନ ଧର୍ମର ବରିଷ୍ଠ ସାଧୁ ଏହାକୁ ତୀବ୍ର ବିରୋଧ କରିଛନ୍ତି। ବିଶ୍ୱର କୌଣସି ପ୍ରମୁଖ ହିନ୍ଦୁ ପର୍ବ ନିର୍ଦ୍ଦିଷ୍ଟ ତିଥି ବାହାରେ ପାଳନ କରାଯାଏ ନାହିଁ। ତେବେ ରଥଯାତ୍ରା କ୍ଷେତ୍ରରେ ଏଭଳି ମନମାନୀ କାହିଁକି ବୋଲି ପ୍ରଶ୍ନ ଉଠିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସ୍ବାକ୍ଷରିତ ଦୁଇଟି ଚିଠିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କାଳଜୟୀ ଶାସ୍ତ୍ରୀୟ ପରମ୍ପରା ଓ ଗାରିମାକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଓ ମାର୍ଗଦର୍ଶନ ଲୋଡ଼ାଯାଇଛି।
