ଜନଜାତିଙ୍କ ମଧ୍ୟରେ ବହୁ ବିରଳ ପ୍ରତିଭା ଲୁକ୍କାୟିତ ଭାବେ ରହିଛି। ସେମାନଙ୍କୁ ଲୋକଲୋଚନକୁ ଆଣିପାରିଲେ ସେମାନେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଉନ୍ନତ ପ୍ରଦର୍ଶନ କରିପାରିବେ। ବିଶେଷ କରି କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ପ୍ରତିଭାକୁ ଲୋକ ଲୋଚନକୁ ଆଣିପାରିଲେ ସେମାନେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଦେଶକୁ ଗୌରବ ଆଣିପାରିବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରକାଶ କରିଛନ୍ତି । ଓଡ଼ିଶାର କିସ୍ ଓ କିଟ୍ ଅନୁଷ୍ଠାନ ଜନଜାତି ପିଲାଙ୍କୁ ଶିକ୍ଷା ବ୍ୟତୀତ କ୍ରୀଡ଼ାର ବିକାଶ ପାଇଁ ଉପଯୁକ୍ତ ତାଲିମ ଓ ଅଭ୍ୟାସ ଯୋଗାଇ ଦେଉଥିବାରୁ ସେମାନେ ଆଜି ଅନ୍ତର୍ଜାତୀୟସ୍ତରର ଦେଶକୁ ସୁନାମ ଆଣିପାରୁଛନ୍ତି ବୋଲି ରାଷ୍ଟ୍ରପତି ମୁର୍ମୁ କହିଥିଲେ।
ଗତକାଲି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା’ (ଆଇଟିଡିଏ) ଏବଂ ‘ସମନ୍ନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ’ (ଆଇଟିଡିପି) ର ସୁଦୃଢ଼ୀକରଣ ଉପରେ ଏକ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ କିସର ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ କ୍ରୀଡ଼ାରେ ଉନ୍ନତ ତାଲିମ ପ୍ରଦାନ କରାଯାଉଥିବା ଉଲ୍ଲେଖ କରିଥିଲେ।
ଏହି ଅବସରରେ ସେ ଭାରତରେ ଜନଜାତି ବିକାଶ ପଦକ୍ଷେପର କାର୍ଯ୍ୟକାରିତା ବୃଦ୍ଧି କରିବା ଏବଂ ଜନଜାତି ସଂପ୍ରଦାୟର ସାମାଜିକ-ଆର୍ଥିକ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ସାଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜାତୀୟସ୍ତରରେ ରାଷ୍ଟ୍ରପତି କିସ୍ର ନାମ ଉଲ୍ଲେଖ କରି ରାଷ୍ଟ୍ରପତି କିସ୍ ଓ ସମଗ୍ର ଜନଜାତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ବୋଲି ଡ. ସାମନ୍ତ କହିଛନ୍ତି
