ଉଜ୍ଜ୍ୱଳା ଗ୍ରାହକଙ୍କୁ ଝଟକା । ସବସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ହ୍ରାସ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ର ଗ୍ରାହକଙ୍କ ପାଇଁ ବଡ଼ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ହିତାଧିକାରୀଙ୍କୁ ବାର୍ଷିକ ମିଳୁଥିବା ସବ୍ ସିଡିଯୁକ୍ତ ରନ୍ଧନ ଗ୍ୟାସ୍ ସିଲିଣ୍ଡର ସଂଖ୍ୟା ୯ରୁ କମାଇ ୪ କରିଦିଆଯାଇଛି। ସାଧାରଣ ପରିବାରର ପ୍ରକୃତ ବାର୍ଷିକ ବ୍ୟବହାରକୁ ଦୃଷ୍ଟିରେ ରଖି ସବ୍ ସିଡିକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉଜ୍ଜ୍ୱଳା ଗ୍ରାହକଙ୍କୁ ପ୍ରଥମ ୪ଟି ସିଲିଣ୍ଡର ପାଇଁ ପୂର୍ବଭଳି ୩୦୦ ଟଙ୍କା ସବସିଡି ଡିବିଟି ମାଧ୍ୟମରେ ମିଳିବ।
ଏହି ୪ଟି ସିଲିଣ୍ଡର ପିଛା ୬୪୨ ଟଙ୍କା ପଡ଼ିବ। ୪ ସିଲିଣ୍ଡର ସରିବା ପରେ, ଯଦି କୌଣସି ପରିବାର ଅଧିକ ସିଲିଣ୍ଡର ନେବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସମ୍ପୂର୍ଣ୍ଣ ବଜାର ଦର ଅର୍ଥାତ୍ ୯୪୨ ଟଙ୍କା ଦେଇ ସିଲିଣ୍ଡର କିଣିବାକୁ ପଡ଼ିବ। ସୂଚନା ଅନୁସାରେ ଉଜ୍ଜ୍ୱଳା ଯୋଜନାର ଅଧିକାଂଶ ଗରିବ ପରିବାର ବର୍ଷକୁ ହାରାହାରି ୪ଟି ସିଲିଣ୍ଡର ହିଁ ବ୍ୟବହାର କରୁଥିବା ସର୍ଭେରୁ ଜଣାପଡ଼ିଛି । ଏପଟେ ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ମୂଲ୍ୟ ସିଲିଣ୍ଡର ପିଛା ୧ ହଜାର ୬୦୦ ଟଙ୍କା ଟପିଛି।
ବିଶ୍ୱ ବଜାରର ମହଙ୍ଗା ମାଡ଼ରୁ ଗରିବ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦେବା ସହ ଆର୍ଥିକ ସନ୍ତୁଳନ ରକ୍ଷା କରିବା ପାଇଁ ସରକାର ସବ୍ ସିଡିକୁ ବାର୍ଷିକ ୪ଟି ସିଲିଣ୍ଡର ମଧ୍ୟରେ ସୀମିତ ରଖିଛନ୍ତି। ନୂଆ ବ୍ୟବସ୍ଥା ଦ୍ୱାରା ପ୍ରତ୍ୟେକ ହିତାଧିକାରୀଙ୍କୁ ବାର୍ଷିକ ମୋଟ ୧ ହଜାର ୨୦୦ ଟଙ୍କା ର ସବସିଡି ସହାୟତା ମିଳିବ। ୨୦୧୬ରେ ଆରମ୍ଭ ହୋଇଥିବା ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଦେଶର ପ୍ରାୟ ୧୦ କୋଟିରୁ ଅଧିକ ଗରିବ ପରିବାର ଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଯୋଗାଇ ଦିଆଯାଇଛି। ୨୦୨୫-୨୬ ପାଇଁ ବାର୍ଷିକ ୯ଟି ସିଲିଣ୍ଡର ପର୍ଯ୍ୟନ୍ତ ଏହି ୩୦୦ ଟଙ୍କାର ସବ୍ ସିଡି ମିଳିବ ବୋଲି କୁହାଯାଇଥିଲା, ଯାହାକୁ ଏବେ ବଦଳାଇ ଦିଆଯାଇଛି।
ସମ୍ପ୍ରତି ଦର ବୃଦ୍ଧି ପରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଏଲପିଜି ମୂଲ୍ୟ ବେଶ୍ କମ୍ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଗରିବ ଲୋକଙ୍କ ପରିବାର ବଜେଟ୍ ଉପରେ ପ୍ରଭାବ ପଡ଼ିବାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଆରମ୍ଭ କରିପାରନ୍ତି। କେନ୍ଦ୍ରର ନୂଆ ନିୟମ ଓଡ଼ିଶା ଭଳି ରାଜ୍ୟର ଗରିବ ଓ ମଧ୍ୟବିତ୍ତ ପରିବାରକୁ ପ୍ରଭାବିତ କରିବ। ବିଶେଷ କରି ଓଡ଼ିଶାର ଗ୍ରାମାଞ୍ଚଳ ଓ ଜନଜାତି ବହୁଳ ଅଞ୍ଚଳର ପରିବାରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଉଜ୍ଜ୍ୱଳା ଯୋଜନା ଉପରେ ନିର୍ଭର କରୁଥିବାରୁ, ବର୍ଷକୁ ୪ଟିରୁ ଅଧିକ ସିଲିଣ୍ଡର ବ୍ୟବହାର କରୁଥିବା ଲୋକଙ୍କ ପକେଟ୍ ଉପରେ ବାଧ୍ୟତାମୂଳକ ଭାବେ ଅଧିକ ବୋଝ ପଡ଼ିବ।
