ଭୁବନେଶ୍ୱର : କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି KIIT ଓ KISS ପରିଦର୍ଶନ କରିବା ସହ କିଟ୍ ପରିସରରେ ଥିବା KIIT Art Gallery ବୁଲି ଦେଖିଛନ୍ତି । ଏହି ଅବସରରେ ସେ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକଙ୍କ ସହ ସାକ୍ଷାତ କରି ଗ୍ୟାଲେରୀରେ ପ୍ରଦର୍ଶିତ ବିଭିନ୍ନ ଚିତ୍ରକଳା, ଭାସ୍କର୍ଯ୍ୟ ଏବଂ ସମକାଳୀନ କଳାକୃତି ସମ୍ପର୍କରେ ଅବଗତ ହୋଇଥିଲେ । ପରିଦର୍ଶନ ପରେ ଅଦ୍ୱୈତ ଗଡ଼ନାୟକ କହିଥିଲେ, କଳା ହେଉଛି ସମାଜର ସୃଜନଶୀଳତା, ସଂସ୍କୃତି ଓ ପରମ୍ପରାର ଦର୍ପଣ । ଜଣେ କେନ୍ଦ୍ରମନ୍ତ୍ରୀ ନିଜେ ସମୟ ବାହାର କରି ଏକ ଆର୍ଟ ଗ୍ୟାଲେରୀ ପରିଦର୍ଶନ କରିବା ଓ କଳାକୃତି ପ୍ରତି ଆଗ୍ରହ ପ୍ରକାଶ କରିବା କଳାକାର ସମାଜ ପାଇଁ ଏକ ବଡ଼ ପ୍ରେରଣା ।
ଏଭଳି ପଦକ୍ଷେପ ଦେଶରେ କଳା ଓ ସଂସ୍କୃତିର ବିକାଶ ସହ ଯୁବ କଳାକାରମାନଙ୍କୁ ମଧ୍ୟ ନୂଆ ଉତ୍ସାହ ଯୋଗାଇବ । ସେ କହିଥିଲେ ଯେ କିଟ୍ ଆର୍ଟ ଗ୍ୟାଲେରୀ କେବଳ କଳା ପ୍ରଦର୍ଶନର ସ୍ଥାନ ନୁହେଁ, ବରଂ ଏହା ଯୁବ ପିଢ଼ିଙ୍କୁ କଳା, ସଂସ୍କୃତି ଓ ସୃଜନଶୀଳ ଚିନ୍ତାଧାରା ସହ ଯୋଡ଼ିବାର ଏକ ମାଧ୍ୟମ । ଦେଶର ନୀତି ନିର୍ଦ୍ଧାରକମାନେ କଳା ଓ ସଂସ୍କୃତି ପ୍ରତି ଆଗ୍ରହ ଦେଖାଇବା ଦ୍ୱାରା କଳାକାରଙ୍କ ମନୋବଳ ବୃଦ୍ଧି ପାଇଥାଏ । କଳାର ପ୍ରସାର ଆହୁରି ବ୍ୟାପକ ହୋଇଥାଏ । ପରିଦର୍ଶନ ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
