ବାରଙ୍ଗ : ଭାଙ୍ଗିଲା ଜଳ ବିହଙ୍ଗ ସାରଣୀ । ନନ୍ଦନକାନନର କାଞ୍ଜିଆ ହ୍ରଦ କଡ଼ରେ ଥିବା ୭୨ନଂ ଖୁଆଡ଼ ଜଳ ବିହଙ୍ଗ ସାରଣୀ ଭାଙ୍ଗି ଯାଇଥିବାରୁ ଏଥି ମଧ୍ୟରେ ଥିବା ଅନେକ ପକ୍ଷୀ ବାହାରକୁ ଚାଲି ଯାଇଛନ୍ତି । ଦୀର୍ଘ ଦିନରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଏପରି ଘଟଣା ଘଟିଛି । ବିହଙ୍ଗ ସାରଣୀ ମଧ୍ୟରେ ଥିବା ଅନେକ ପକ୍ଷୀ ଖୁଆଡ଼ ବାହାରକୁ ଚାଲିଯାଇଛନ୍ତି । ଯାହା ଫଳରେ ନନ୍ଦନକାନନ କର୍ତ୍ତୃପକ୍ଷ ଖୁଆଡ଼ ଭିତରେ ଥିବା ପକ୍ଷୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି । ବାହାରକୁ ଚାଲି ଯାଇଥିବା ଅନେକ ପକ୍ଷୀଙ୍କୁ କର୍ତ୍ତୃପକ୍ଷ କର୍ମଚାରୀ ଲଗାଇ କାଞ୍ଜିଆ ହ୍ରଦ ନିକଟରୁ ଧରୁଛନ୍ତି ।ସେପଟେ ଗତ ଦୁଇଦିନ ଧରି ପକ୍ଷୀ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି ।
ଫଳରେ ନନ୍ଦନକାନନ ବିହଙ୍ଗ ସାରଣୀ ଠାରୁ ବୋଟ ଘାଟ ଯାଏ ରାସ୍ତାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ଯାହା ଫଳରେ ପ୍ରକୃତିର ସୌନ୍ଦର୍ଯ୍ୟ ଭରା କାଞ୍ଜିଆ ହ୍ରଦ ଦେଖିବାରେ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ । ନନ୍ଦନକାନନର ନର୍ଥଇଷ୍ଟ ଏବଂ କ୍ୱରେଣ୍ଟାଇନକୁ ପକ୍ଷୀ ମାନଙ୍କୁ ସ୍ଥାନାନ୍ତର କରାଯାଉଛି । ପୂର୍ବରୁ ବିପଦସଙ୍କୁଳ ଅବସ୍ଥାରେ ଥିବା ସମୟରେ ଏହାକୁ ମରାମତି କରାଯାଇଥିଲେ ବର୍ତ୍ତମାନ ଏଭଳି ସମସ୍ୟା ଦେଖା ଦେଇନଥାନ୍ତା ବୋଲି ପର୍ଯ୍ୟଟକ ଓ ପଶୁପ୍ରେମୀ ମହଲରେ ଆଲୋଚନା ହେଉଛି। ନନ୍ଦନକାନନ କର୍ତୃପକ୍ଷ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ, ଏଠାରୁ ସମସ୍ତ ପକ୍ଷୀ ସ୍ଥାନାନ୍ତର ପରେ ଏହାକୁ ମରାମତି କରାଯିବ। ମରାମତି ପରେ ପୁନଶ୍ଚ ପକ୍ଷୀ ମାନଙ୍କୁ ଏଠାକୁ ଅଣାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି
