ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଅବସରପ୍ରାପ୍ତ ଏଏସଆଇ ଓ ପତ୍ନୀ ଦୋଷୀ ସାବ୍ୟସ୍ତ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଅବସରପ୍ରାପ୍ତ ଏଏସଆଇ ପ୍ରଭାକର ପଣ୍ଡା ଏବଂ ତାଙ୍କ ପତ୍ନୀ ବିରୋଧରେ ରାୟ ପ୍ରକାଶ ପାଇଛି । ଏକ ବର୍ଷ ଜେଲ୍ ଓ ଏକ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଉଭୟଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ୧୩(୧)(ଇ) ଅନୁଯାୟୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ।
ଅଦାଲତ ଉଭୟ ଦୋଷୀଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ସେହିପରି ଉଭୟଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ଆୟ ବହିର୍ଭୂତ ସମ୍ପତ୍ତି ଆଦାୟ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ ଅବସରପ୍ରାପ୍ତ ଏଏସଆଇ ପ୍ରଭାକର ପଣ୍ଡା ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳି ପାତ୍ରଙ୍କ ପେନସନ ବନ୍ଦ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଓଡ଼ିଶା ଭିଜିଲାନ୍ସ ଆବେଦନ କରିବ ବୋଲି ସୂଚନା ମିଳିଛି ।
