ଭୁବନେଶ୍ବର: ବନ୍ଧାହେଲେ ୨ ଭୀମସାର ବାବୁ । ଭୀମସାରର ୨ କୋଟିପତି ବାବୁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଭୀମସାର ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟର ଷ୍ଟେୱାର୍ଡ ଅଶ୍ବିନୀ ମେହେର ଓ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳ ଗିରଫ । ଉଭୟଙ୍କ ଘରୁ ଆୟ ବହିର୍ଭୁତ ସଂପତ୍ତି ଜବତ ହୋଇଥିଲା । ଅଶ୍ବିନୀ ମେହେର ତାଙ୍କ ଆୟର ୧୦୪ ପ୍ରତିଶତ ସଂପତ୍ତି ଠୁଳ କରିଛନ୍ତି । ଯାହାର ସେ ହିସାବ ଦେଇ ପାରି ନଥିଲେ। ୧ କୋଟି ୪୯ ଲକ୍ଷ ଟଙ୍କାର ସମ୍ପତ୍ତି ମିଳିଛି । ରେଡ୍ ବେଳେ ତାଙ୍କର ତିନିଟି ବିଲ୍ଡିଂ ଓ ଗୋଟିଏ ଷ୍ଟୋର୍ ରୁମ ଠାବ ହୋଇଥିଲା ।
୧୦ଟି ମୂଲ୍ୟବାନ ପ୍ଳଟ୍ ଠାବ ହୋଇଥିଲା । ତା ସହ ଘରୁ ସୁନା ଏବଂ ୧୬ ଲକ୍ଷ ୧୭ ହଜାର ଟଙ୍କାର ସାମଗ୍ରୀ ଜବତ ହୋଇଥିଲା । ସେହିପରି ଧନୁର୍ଦ୍ଧର ତାଙ୍କ ଆୟର ୨୩୪ ପ୍ରତିଶତ ସଂପତ୍ତି ଠୁଳ କରିଛନ୍ତି । ତାଙ୍କର ୩୨ଟି ଦାମୀ ପ୍ଲଟ୍ ଏବଂ ଦୁଇଟି ବହୁତଳ ବିଲ୍ଡିଂ ଅଛି । ରେଡ୍ ବେଳେ ଘରୁ ମିଳିଥିଲା ନଗଦ ୧୯ ଲକ୍ଷ ୮୦ ହଜାର ଟଙ୍କା । ସେହିପରି ବିଭିନ୍ନ ବ୍ୟାଙ୍କରେ ଧନୁର୍ଦ୍ଧର ଜମା ରଖିଛନ୍ତି ୪୮ ଲକ୍ଷ ଟଙ୍କା । ଏହା ଛଡ଼ା ଦୁଇଟି ଟ୍ରକ୍, ଦୁଇଟି ଟ୍ରାକ୍ଟର ଏବଂ ଗୋଟିଏ ଚାରି ଚକିଆ ଗାଡ଼ିର ମାଲିକ ଧନୁର୍ଦ୍ଧର। ଏହା ଛଡ଼ା ତାଙ୍କ ଘରୁ ୮୩ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି ।
