ଭୁବନେଶ୍ୱର : ୭ ହଜାର ୪୩୬ କୋଟି ୨୨ ଲକ୍ଷର ଯୋଜନାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ । ଜନଜାତି, ଚାଷୀ, ସିଚାଇ, ଆବାସ ଓ ସହର ବିକାଶକୁ ପ୍ରାଥମିକତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଜନଜାତି କଲ୍ୟାଣ, ସିଚାଇ ବ୍ୟବସ୍ଥାର ସମ୍ପ୍ରସାରଣ, କୃଷି ଯାନ୍ତ୍ରିକୀକରଣ, ସହରାଞ୍ଚଳ ଆବାସ, GST ସଂସ୍କାର, ସରକାରୀ ଆଇନ ସେବା ଓ ଆର୍ଥିକ ଅଞ୍ଚଳ ବିକାଶ ସମ୍ପର୍କିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ବିଭିନ୍ନ ଯୋଜନା ପାଇଁ ୭,୪୩୬.୨୨ କୋଟିରୁ ଅଧିକ ଅର୍ଥ ବ୍ୟୟ କରାଯିବା ସହ ଲକ୍ଷ ଲକ୍ଷ ପରିବାର ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ 2.0 ରେ ବ୍ୟୟ ୨,୯୯୫ କୋଟି ରଖାଯାଇଛି । ଏହାର ଅବଧି ୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୩୦-୩୧ ରହିଛି । ଏଥିରୁ ୧୯ ଜିଲ୍ଲାର ୮ ଲକ୍ଷ ଆଦିବାସୀ ଓ ପିଭିଟିଜି ପରିବାର ଉପକୃତ ହେବେ । ପରିବାର ପିଛା ୩୦ ହଜାର ଡିବିଟି ସହାୟତା ରହିଛି। କୃଷି, ବନଜାତ ଦ୍ରବ୍ୟ, ପାରମ୍ପରିକ କଳା, କୁଟୀର ଶିଳ୍ପ, ଉଦ୍ୟୋଗ ଓ ଜୀବିକା କ୍ଲଷ୍ଟରକୁ ପ୍ରୋତ୍ସାହନ ଦିଆଯିବ। ସେହିପରି ଇଣ୍ଟିଗ୍ରେଟେଡ୍ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ବାଲେଶ୍ୱର ଲାଗି ୫,୦୫୨ ହେକ୍ଟର ପାଇଁ ପ୍ରଥମ ପ୍ୟାକେଜରେ ୧୧୨.୫୨ କୋଟି ରହିଛି ।
ଦ୍ୱିତୀୟ ପ୍ୟାକେଜରେ ୭,୧୭୨ ହେକ୍ଟର ପାଇଁ ୧୪୫.୭୧ କୋଟି ରହିଛି । ଭୂତଳ ପାଇପ୍ ଲାଇନ୍ ମାଧ୍ୟମରେ ସିଚାଇ ବ୍ୟବସ୍ଥା କରାଯିବ। ଏଥିରୁ ନୀଳଗିରି, ସୋର, ରେମୁଣା, ବାଲେଶ୍ୱର ସଦର ଓ ଔପଦା ବ୍ଲକର ଚାଷୀମାନେ ଉପକୃତ ହେବେ। ଏପଟେ ପାର୍ବତୀ ଗିରି ମେଗା ଲିଫ୍ଟ ସିଚାଇ ଯୋଜନାରେଖୋର୍ଦ୍ଧା-ପୁରୀ କ୍ଲଷ୍ଟର ଲାଗି ୨୩୪.୭୯ କୋଟି ବ୍ୟୟ ବରାଦ ରହିଛି । ୭,୭୦୦ ହେକ୍ଟର ସିଚାଇ ରହିଛି । ରାୟଗଡ଼ା-ଗଜପତି କ୍ଲଷ୍ଟର ଲାଗି ୧୩୩.୨୦ କୋଟି ରହିଛି । ଏଥିରେ ୪,୦୫୦ ହେକ୍ଟର ସିଚାଇ ରହିଛି ।
ମାଇକ୍ରୋ ସିଚାଇ ମାଧ୍ୟମରେ ନଗଦ ଫସଲ ଚାଷକୁ ପ୍ରୋତ୍ସାହନ ଦିଆଯିବ। PMAY-(U) ବନ୍ଧୁ ଯୋଜନାରେ ମୋଟ ବ୍ୟୟ ରହିଛି ୧,୬୧୫ କୋଟି । ଆଫୋର୍ଡେବଲ୍ ହାଉସିଂ, ରେଣ୍ଟାଲ୍ ହାଉସିଂ ଓ ଟ୍ରାନ୍ସିଟ୍ ହାଉସ୍ ଲାଗି ୬୭୫ କୋଟି, ଲାଭାର୍ଥୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ୬୮୫ କୋଟି, ଗୃହ ଋଣ ସୁଧ ସହାୟତା ଲାଗି ୧୦୦ କୋଟି, ବିଶେଷ ପରିସ୍ଥିତିରେ ବିସ୍ଥାପିତ ପରିବାରଙ୍କ ସହାୟତା ଲାଗି ୧୨୫ କୋଟି । ୨୦୨୯ ସୁଦ୍ଧା ସହରାଞ୍ଚଳରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ।
