ଭୁବନେଶ୍ୱର/ନୂଆଦିଲ୍ଲୀ (ପିଏନ୍/କେ ସି ଏନ ): ଗତ ୨୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇଆସୁଥିବା ଜନପ୍ରିୟ ଓଡ଼ିଆ ଦୈନିକ ‘ପର୍ଯ୍ୟବେକ୍ଷକ’ ଏହାର ସମ୍ପାଦକୀୟ ନେଟୱାର୍କର ସମ୍ପ୍ରସାରଣ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ବ୍ଲକ, ତହସିଲ, ଏନ୍ଏସି, ପୌରପାଳିକା, ଉପଖଣ୍ଡ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସମ୍ବାଦଦାତା ନିଯୁକ୍ତ କରିବାକୁ ଘୋଷଣା କରିଛି। ଏହାବ୍ୟତୀତ ରାଜ୍ୟ ରାଜଧାନୀ ଭୁବନେଶ୍ୱର, ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରମୁଖ ମହାନଗର ଓ ମେଟ୍ରୋ ସହର, ଯେଉଁଠାରେ ବହୁସଂଖ୍ୟକ ଓଡ଼ିଆ ବାସ କରୁଛନ୍ତି, ସେଠାରେ ମଧ୍ୟ ସମ୍ବାଦଦାତା ନିଯୁକ୍ତ କରାଯିବ।

‘ପର୍ଯ୍ୟବେକ୍ଷକ’ ଓ ‘ଦ କଳିଙ୍ଗ କ୍ରୋନିକଲ’ ଗ୍ରୁପ୍ର ମୁଖ୍ୟ ସମ୍ପାଦକ ଡ଼. ପବିତ୍ର ମୋହନ ସାମନ୍ତରାୟଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।
ଡ଼. ସାମନ୍ତରାୟ କହିଛନ୍ତି ଯେ, ପ୍ରିଣ୍ଟ ମିଡିଆର ସମ୍ବାଦ ନେଟୱାର୍କକୁ ସୁଦୃଢ଼ କରିବା ସହିତ ସଂସ୍ଥାର ଡିଜିଟାଲ ଓ ୱେବ୍ ନ୍ୟୁଜ୍ ପ୍ଲାଟଫର୍ମର ବ୍ୟାପକ ପୁନର୍ଗଠନ ଓ ସମ୍ପ୍ରସାରଣ କରାଯିବ, ଯାହାଦ୍ୱାରା ଦେଶ ଓ ବିଦେଶର ପାଠକମାନଙ୍କୁ ଅଧିକ ଦ୍ରୁତ, ନିର୍ଭରଯୋଗ୍ୟ ଏବଂ ବ୍ୟାପକ ସମ୍ବାଦ ପରିବେଷଣ କରାଯାଇପାରିବ।

ସେ କହିଛନ୍ତି ଯେ, ପ୍ରାୟ ତିନି ଦଶନ୍ଧି ଧରି ‘ପର୍ଯ୍ୟବେକ୍ଷକ’ ଓ ‘ଦ କଳିଙ୍ଗ କ୍ରୋନିକଲ’ ଗ୍ରୁପ୍ ନିର୍ଭୀକ, ନିରପେକ୍ଷ, ଦାୟିତ୍ୱବୋଧସମ୍ପନ୍ନ ଏବଂ ଜନସ୍ୱାର୍ଥଭିତ୍ତିକ ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାବାସୀ ତଥା ଦେଶବାସୀଙ୍କ ସେବାରେ ନିରନ୍ତର କାର୍ଯ୍ୟ କରିଆସୁଛି।
ନୈତିକ ସାମ୍ବାଦିକତା ମାଧ୍ୟମରେ ଜନସେବା ପ୍ରତି ନିଜର ଅଙ୍ଗୀକାରକୁ ପୁନଃଦୃଢ଼ କରି ଡ଼. ସାମନ୍ତରାୟ କହିଛନ୍ତି ଯେ, ଗଣମାଧ୍ୟମର ଉଚ୍ଚତମ ବୃତ୍ତିଗତ ମାନଦଣ୍ଡକୁ ଅକ୍ଷୁଣ୍ଣ ରଖି ସାଧାରଣ ଲୋକଙ୍କ ସ୍ୱରକୁ ସଦା ପ୍ରାଧାନ୍ୟ ଦିଆଯିବ। ଏହି ନୂତନ ସମ୍ପ୍ରସାରଣ ପର୍ଯ୍ୟାୟରେ ସାମ୍ବାଦିକ, ବୁଦ୍ଧିଜୀବୀ, ପାଠକ ଓ ଶୁଭେଚ୍ଛୁମାନଙ୍କର ସକ୍ରିୟ ସହଯୋଗ ଓ ସମର୍ଥନ କାମନା କରିଛନ୍ତି।
“ଜୟ ଜଗନ୍ନାଥ, ଜୟ ହିନ୍ଦ” .
