ଭୁବନେଶ୍ୱର : ସିଏମଓରୁ ଫାଇଲ ଗାଏବ ମାମଲାରେ ତଦନ୍ତ ପରେ ହିଁ ଜାରି ହେବ ସମନ । ଅତି ତରବରିଆ ହେବନି ତଦନ୍ତ। ଏଭଳି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ମାମଲାର ତଦନ୍ତ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ତେଣୁ କୌଣସି ପଦକ୍ଷେପ ନେବା ପୂର୍ବରୁ ସମସ୍ତ ଦସ୍ତାବିଜ ଓ ଫାଇଲର ଗତିବିଧିକୁ ଖୁବ ସୂକ୍ଷ୍ମ ଭାବେ ଯାଞ୍ଚ କରାଯାଉଛି । ତାଙ୍କ କହିବା ଅନୁଯାୟୀ, ଗୃହ ବିଭାଗରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଫାଇଲର ସମ୍ପୂର୍ଣ୍ଣ ଗତିବିଧିକୁ ଯାଞ୍ଚ କରାଯାଉଛି।
ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ତିନୋଟି କାର୍ଯ୍ୟାଳୟକୁ ନୋଡାଲ ଅଫିସର ନିଯୁକ୍ତ କରିବାକୁ ଚିଠି ଲେଖାଯାଇଛି। ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ମଗାଯାଇଛି। ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ ହେବା ପରେ ସେଗୁଡ଼ିକର ବିଶ୍ଳେଷଣ କରାଯିବ। ତା’ପରେ କେଉଁ ବ୍ୟକ୍ତିଙ୍କୁ ନୋଟିସ୍ କିମ୍ବା ସମନ ଜାରି କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ। କୌଣସି ବ୍ୟକ୍ତିଙ୍କୁ ଅଯଥା ଡକାଯିବ ନାହିଁ । ବରଂ ତାଙ୍କର ଭୂମିକା ଅନୁଯାୟୀ ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ସ୍ପଷ୍ଟ କରିଛନ୍ତି।
ବିନୟତୋଷ ମିଶ୍ର କହିଛନ୍ତି, ସାକ୍ଷୀ, ସନ୍ଦିଗ୍ଧ କିମ୍ବା ଅଭିଯୁକ୍ତ ଯେଉଁ ଶ୍ରେଣୀରେ ହେଉନା କାହିଁକି, ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ହିଁ ସମନ ଜାରି କରାଯିବ। ତଦନ୍ତରେ କୌଣସି ତରବରିଆ କରାଯିବ ନାହିଁ ଏବଂ ସମସ୍ତ ସମ୍ପୃକ୍ତ ବ୍ୟକ୍ତି ତଦନ୍ତରେ ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
