କୁଚିଣ୍ଡା: ଜଙ୍ଗଲରୁ ଗଛକାଟି ପଟ୍ଟା ତିଆରି କରି ଚୋରି କରିବା ଘଟଣା ନୂଆ ମୋଡ଼ ନେଇଛି । ସତ କଥା କହି ଦେବାରୁ ଗାଁର ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ରେଞ୍ଜର ଓ କିଛି ଫରେଷ୍ଟର ମିଶି ନିସ୍ତୁକ ମାଡ଼ ମାରିଛନ୍ତି । କିଛିଦିନ ତଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେଞ୍ଜ ବଡ଼ମୁଣ୍ଡାଲୋଇ ଜଙ୍ଗଲରୁ ବିଭାଗୀୟ କର୍ମଚାରୀ ଗଛ କାଟି ପଟ୍ଟା ତିଆରି କରାଇ ବୋହି ନେଉଥିବା ନେଇ ଅଭିଯୋଗ କଲେ କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜଣେ ୱାଚରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
ୱାଚର ରତ୍ନାକର ପାତ୍ରଙ୍କୁ ନିଲମ୍ବନ କରାଯାଇଥିବା କୁଚିଣ୍ଡା ରେଞ୍ଜ ଅଧିକାରୀ କହିଥିଲେ। ହେଲେ ସେତିକିରେ କଥା ସରି ନଥିଲା । ୱାଚରଙ୍କୁ ଖାଲି ନୀଳମ୍ବିତ କରି କିଛି କାର୍ଯ୍ୟାନୁଷ୍ଠାନ ନନେଇ ଗତକାଲି ପିୟୁଷ ଡୁଙ୍ଗଡୁଙ୍ଗଙ୍କୁ କୁଚିଣ୍ଡା ବନବିଭାଗ କର୍ମଚାରୀ ଅଫିସକୁ ଡାକି ନେଇ ଉଲଗ୍ନ କରି ନିସ୍ତୁକ ମାଡମାରିଥିବା ନେଇ ମହୁଲପାଲି ଥାନାରେ ଅଭିଯୋଗ କରିଛନ୍ତି ପିୟୁଷ । ପିୟୁଷଙ୍କ ପିଠି, ଜଙ୍ଘ, ଗୋଡ଼ ଏବଂ ଅନ୍ୟାନ୍ୟ ସ୍ଥାନରେ ଠେଙ୍ଗା ମାଡ଼ ଦାଗ ରହିଥିବା ସହ ପିୟୁଷ ଡାକ୍ତରଖାନାକୁ ଯାଇ ଚିକିତ୍ସା ହୋଇ ଥାନାରେ ଦ୍ୱାରସ୍ତ ହୋଇଛନ୍ତି ।
