ବାଲେଶ୍ଵର : ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମିଠା ଖୁଆଇ ଫୁଲ ମାଳ ପିନ୍ଧାଇ ରାସ୍ତା ମରାମତି ପାଇଁ ଅନୁରୋଧ କରିଲେ ଅଞ୍ଚଳବାସୀ । ବାଲେଶ୍ଵର ରାସ୍ତା ଏବଂ ଗୃହ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବାଲେଶ୍ଵର ର କିଛି ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଏକ ଭିନ୍ନ ଉପାୟରେ ନିଜର ପ୍ରତିବାଦ ଜଣାଇଛନ୍ତି । ବାଲେଶ୍ଵର ସହର ସହ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ତାମୁଳିଆ ରେଲୱେ ଓଭର ବ୍ରିଜ୍ ଦୀର୍ଘଦିନ ହେବ ଦୁରବସ୍ଥା ହୋଇ ରହିଛି । ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ମୂଳରୁ ହିଁ ନିମ୍ନମାନର କାର୍ଯ୍ୟ ହୋଇଥିବା ଏହି ବ୍ରିଜ୍ ନିର୍ମାଣର କିଛି ବର୍ଷ ପରେ ହିଁ ଖାଲ ଖମା ଗର୍ତ୍ତରେ ଭର୍ତ୍ତି ହୋଇଯାଇଛି ।
ଏପଟେ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ପରେ ବି ମରାମତି ହେଉ ନଥିଲା । ବାଲେଶ୍ଵର ର କିଛି ବୁଦ୍ଧିଜୀବୀ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ବସିବା ସହ ଯନ୍ତ୍ରୀଙ୍କ ପାଇଁ ନେଇ ଆସିଥିଲେ ଫୁଲ ମାଳ ଓ ମିଠା । ଯନ୍ତ୍ରୀ ଆସିବା ପରେ ଫୁଲ ମାଳ ଦେଇ ମିଠା ଖୁଆଇ ରାସ୍ତା ମରାମତି କରି ଦିଅନ୍ତୁ ବୋଲି ନେହୁରା ଓ ନିବେଦନ କରିଥିଲେ । ଏ ଦୃଶ୍ୟ ଗତକାଲିର ଥିଲା ସେପଟେ ରାସ୍ତା ଏବଂ ଗୃହ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଖୁବ୍ ଶୀଘ୍ର କାମ ଆରମ୍ଭ କରିବେ ବୋଲି ସ୍ଥାନୀୟ ଲୋକଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।
