ନବରଙ୍ଗପୁର : ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍ ଖୋଲିବାକୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି । ଆଜି ଗୋଟିଏ ଗେଟକୁ ୪୦ ମିନିଟ ପାଇଁ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଆଜି ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗେଟ୍ ଖୋଲିବା ନେଇ ମକ୍ ଡ୍ରିଲ୍ କରାଯାଇଛି । ଜଳଭଣ୍ଡାରର ୭ଟି ଗେଟ୍ ମଧ୍ୟରୁ କେବଳ ଗୋଟିଏ ୪ ନମ୍ବର ଗେଟ୍କୁ ପ୍ରାୟ ୪୦ ମିନିଟ୍ ପାଇଁ ଟ୍ରାଏଲ୍ ରନ୍ରେ ଖୋଲାଯାଇଥିଲା । ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ ମିଟରରେ ପହଞ୍ଚିଛି । ଜଳସ୍ତର ୬୪୦.୫ ମିଟର ଛୁଇଁଲେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି ।
ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୭୮.୮୦ କ୍ୟୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୧୯୩.୯୪ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ମୁଖୀଗୁଡାସ୍ଥିତ ୬୦୦ ମେଗାୱାଟ୍ କ୍ଷମତାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ୫୫୬ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି । ଇନ୍ଦ୍ରାବତୀ-କୋଲାବ ବେସିନ୍ର ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରା ଖାତିଗୁଡା ଗସ୍ତ କରି ଜଳଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ଜଳସ୍ତର ୬୪୦.୫ ମିଟର ଛୁଇଁଲେ ଗେଟ୍ ଖୋଲାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ପଟ୍ଟନାୟକ କହିଛନ୍ତି । ଏଥିପୂର୍ବରୁ ଅଗଷ୍ଟ ୩୧ରେ ନଦୀ ତଳମୁଣ୍ଡ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନଦୀଗର୍ଭକୁ ନଯିବା ଏବଂ ଗୃହପାଳିତ ପଶୁଙ୍କୁ ନଛାଡିବା ପାଇଁ ସତର୍କ କରାଯାଇଥିଲା ।
