ଭୁବନେଶ୍ୱର : ୩୩୬ ଏସ୍ ଆଇଙ୍କ ନିଯୁକ୍ତିକୁ ନେଇ ନବୀନଙ୍କ ପ୍ରଶ୍ନ । ‘ବାତିଲ ପୋଲିସ ପରୀକ୍ଷା କେବେ ହେବ?’ । ଗୋଟିଏପଟେ ପ୍ରଶିକ୍ଷଣ ଶେଷ କରି ୩୩୬ ଜଣ ସବ୍ -ଇନ୍ସପେକ୍ଟର୍ ଓଡ଼ିଶା ପୋଲିସରେ ଯୋଗଦେଇଛନ୍ତି। ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ବାତିଲ ହୋଇଥିବା କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷାକୁ ନେଇ ହଜାର ହଜାର ଆଶାୟୀ ଏବେ ମଧ୍ୟ ଅନିଶ୍ଚିତତାରେ ରହିଛନ୍ତି।
ଏହି ପ୍ରସଙ୍ଗ ଉଠାଇ ‘ଏକ୍ସ’ରେ ରାଜ୍ୟ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ତ୍ରୟୋଦଶ ବ୍ୟାଚ୍ ଏସ୍ ଆଇଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମାରୋହରେ ସଲାମୀ ଗ୍ରହଣ କରିଥିଲେ।
ନବନିଯୁକ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇ ନବୀନ କହିଛନ୍ତି ଯେ ସେମାନେ ନ୍ୟାୟିକ ବ୍ୟବସ୍ଥାକୁ ମଜଭୁତ କରିବା ସହ ଲୋକଙ୍କ ସେବା ପାଇଁ ଦୃଢ଼ ସଙ୍କଳ୍ପ ନେଇ କାର୍ଯ୍ୟ କରନ୍ତୁ। ଏହାସହ ଦୁଇବର୍ଷର ପ୍ରଶିକ୍ଷଣ ସାରିଥିବା ଏହି ୩୩୬ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ପୂର୍ବ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା ବୋଲି ସେ ଦାବି କରିଛନ୍ତି। କିଛି ନ କରି ବର୍ତ୍ତମାନର ବିଜେପି ସରକାର ଏହାର ଶ୍ରେୟ ନେଉଥିବା ନବୀନ ଅଭିଯୋଗ କରିଛନ୍ତି।
୨୦୨୫ରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପାଇଁ ବାତିଲ ହୋଇଥିବା କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷା କେବେ ପୁନଃ ଆୟୋଜନ ହେବ ବୋଲି ନବୀନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରଶ୍ନପତ୍ର ବିକ୍ରି ଓ ଲିକ୍ ରାକେଟ୍ ରେ ସମ୍ପୃକ୍ତ ଦୋଷୀଙ୍କୁ କେବେ କଠୋର ଦଣ୍ଡ ମିଳିବ, ତାହା ମଧ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ପ୍ରାୟ ଏକବର୍ଷ ଧରି ପରୀକ୍ଷାକୁ ନେଇ ସ୍ପଷ୍ଟତା ନ ଥିବାରୁ ହଜାର ହଜାର ଯୁବକଯୁବତୀଙ୍କ ସମୟ ନଷ୍ଟ ହୋଇଛି।
ଏହି ବିଳମ୍ବ ଆଶାୟୀଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିବା ସହ ସରକାରୀ ନିଯୁକ୍ତିର ସ୍ୱଚ୍ଛତା ଓ ନିରପେକ୍ଷତା ପ୍ରତି ଜନସାଧାରଣଙ୍କ ଭରସାକୁ କ୍ଷତି ପହଞ୍ଚାଉଛି ବୋଲି ନବୀନ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସରକାର ତୁରନ୍ତ ପରୀକ୍ଷା ପୁନଃ ଆୟୋଜନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଓଡ଼ିଶାର ଯୁବ ସମାଜକୁ ବିଜେପି ସରକାର ହତାଶ କରିଥିବା ଅଭିଯୋଗ କରି ରାଜ୍ୟବାସୀ ଏହାର ଜବାବ ଦେବାକୁ ପ୍ରସ୍ତୁତ ହେଉଥିବା ନବୀନ କହିଛନ୍ତି।
