ଜଳେଶ୍ୱର : ଆରପିଏଫର ଅପରେସନ ସତର୍କ । ଖଡ଼ଗପୁର ରେଲୱେ ଷ୍ଟେସନରେ ବ୍ୟାଗରୁ ୬୦ ଲକ୍ଷ ୫୫ ହଜାର ଟଙ୍କା ଜବତ । ଆନ୍ଧ୍ରର ଚୁକ୍କା କିଶୋର କୁମାର ଅଟକ । କୋଲକାତା ଆୟକର ନିର୍ଦ୍ଦେଶାଳୟକୁ ମାମଲା ହସ୍ତାନ୍ତର । ପଶ୍ଚିମବଙ୍ଗ ର ଖଡ଼ଗପୁର ରେଳ ଷ୍ଟେସନର ଉତ୍ତର ପାର୍ଶ୍ୱରେ ଥିବା ନୂଆ ଫୁଟ୍ ଓଭର୍ ବ୍ରିଜ୍ ନିକଟରେ ଥିବା ବ୍ୟାଗେଜ୍ ସ୍କାନରରେ ଯାଞ୍ଚ ସମୟରେ ଆରପିଏଫ କର୍ମଚାରୀ ମାନେ ଏକ ବ୍ୟାଗରୁ ନଗଦ ୬୦ ଲକ୍ଷ ୫୫ ହଜାର ୪୪୦ ଟଙ୍କା ଜବତ କରିଛନ୍ତି ।
ବ୍ୟାଗ୍ ଟି ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ନିବାସୀ ଚୁକ୍କା କିଶୋର କୁମାରଙ୍କର ବୋଲି ଜଣାପଡ଼ିଛି । ତେବେ ସେ ଟଙ୍କା ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର କିମ୍ବା ସନ୍ତୋଷଜନକ ପ୍ରମାଣ ଦେଖାଇ ପାରିନଥିଲେ । ତାଙ୍କୁ ଅଟକ ରଖାଯିବା ସହ ଏସମ୍ପର୍କରେ କୋଲକାତା ସ୍ଥିତ ଆୟକର ବିଭାଗ ଖବର ଦିଆଯାଇଥିଲା ।
କୋଲକାତା ସ୍ଥିତ ଆୟକର ନିର୍ଦ୍ଦେଶାଳୟର ଇନ୍ସପେକ୍ଟର ଅମିତ କୁମାର ଖଡ଼ଗପୁର ଆରପିଏଫ ପୋଷ୍ଟରେ ପହଞ୍ଚିବା ପରେ ଭିଡିଓଗ୍ରାଫି ମାଧ୍ୟମରେ ଉକ୍ତ ବ୍ୟାଗ୍ କୁ ଖୋଲାଯାଇଥିଲା । ଚୁକ୍କା ଏତେ ପରିମାଣରେ ଟଙ୍କା କୋଉଠୁ ଆଣିଲେ,କୋଉଠିକୁ ନେଇ ଯାଉଥିଲେ ସେନେଇ ଆୟକର ବିଭାଗ ତାଙ୍କୁ ମାରାଥନ୍ ଜେରା କରୁଛି ।
