ମହାରାଷ୍ଟ୍ର : ମହାରାଷ୍ଟ୍ର ରାୟଗଡା ଜିଲ୍ଲାର ମହାଡର ଏକ କେମିକାଲ କମ୍ପାନୀରେ ଜୋରଦାର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୪ରୁ ୫ କିମି ଦୂର ଯାଏଁ ଶବ୍ଦ ଶୁଣାଯାଇଥିଲା । ଘଟଣାରେ ୪ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଏଯାଏଁ କୌଣସି ଜନହାନୀ ହୋଇନଥିବା ଖବର ମିଳିଛି ।
ଖବର ମୁତାବକ, ରାୟଗଡ ମହାଡ ଏମଆଇଡିସି ସ୍ଥିତ ସିନର୍ଜିୟା କେମିକାଲ ଇଣ୍ଡଷ୍ଟ୍ରୀଜରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । କମ୍ପାନୀର ବଏଲର ଫାଟିବା ଯୋଗୁଁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଏହି ଘଟଣା ପରେ ମହାଡ ଏମଆଇଡିସି ଇଣ୍ଡଷ୍ଟ୍ରିଆଲ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି ।
କମ୍ପାନୀରେ ପାରା ନାଇଟ୍ରୋ ଟୋଲ୍ୟନ ଆର୍ଥ ସେଫୋନିକ ଏସିଡ ତିଆରି କରୁଥିବା ବେଳେ ଏକ ବଏଲର ହଠାତ୍ ଫାଟିଯାଇଥିଲା । ବିସ୍ଫୋରଣ ହେବା ପରେ କମ୍ପାନୀରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ଚାରିଆଡେ ଧୂଆଁ ଦେଖିବାକୁ ମିଳିଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଟିମ୍, ମେଡିକାଲ ଟିମ୍, ଫାୟାର ବ୍ରିଗେଡ ଏବଂ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ।
ଘଟଣାରେ ୪ ଜଣ ଲୋକ ଆହତ ହୋଇଛନ୍ତି । କିନ୍ତୁ ଏଯାଏଁ କେହି ହତାହତ ହୋଇନାହାନ୍ତି । ଆହତଙ୍କ ଚିକିତ୍ସା ହସପିଟାଲରେ କରାଯାଉଛି । ପ୍ରଶାସନ ପକ୍ଷରୁ ପ୍ରାୟ ୨ ଘଣ୍ଟା ପରିଶ୍ରମ କରିବା ପରେ ନିଆଁ ଉପରେ ଆୟତ୍ତ କରାଯାଇଥିଲା । ପୋଲିସ ଏବଂ ଉଦ୍ୟୋଗିକ ସୁରକ୍ଷା ବିଭାଗ ଏହି ମାମଲାରେ ଆଗକୁ କାର୍ଯ୍ୟାନୁଷ୍ଠାନ ନେଇ ଯାଞ୍ଚ ଆରମ୍ଭ କରିଛି ।
