ପଞ୍ଜାବ: ଦେଶରେ ଶୀତ ଋତୁ ଆରମ୍ଭ ହେଉ ହେଉ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦେଶର ଅନେକ ସହରର ବାୟୁର ମାନ । ପରିସ୍ଥିତି ଏତେ ଭୟଙ୍କର ହୋଇଛି ଯେ, ବିଶ୍ୱର ୧୦୦ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ୯୧ଟି ସହର ଭାରତରେ ରହିଛି । ଏହି ସହରଗୁଡ଼ିକରେ ବାୟୁର ଗୁଣବତ୍ତା ଏତେ ଖରାପ ହୋଇଛି ଯେ, ନିଶ୍ୱାସ ନେବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପଡ଼ିଛି । ଏହି ତାଲିକାରେ ପଞ୍ଜାବର ଫରିଦକୋଟ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ସ୍ଥାନ ପାଇଛି ।
ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ପଞ୍ଜାବର ଫରିଦକୋଟର AQI ୬୦୫ ରେକର୍ଡ କରାଯାଇଛି । ଯାହା ଅତ୍ୟନ୍ତ ବିପଜ୍ଜନକ ଶ୍ରେଣୀରେ ଆସୁଛି । କେବଳ ଭାରତ ନୁହେଁ, ପାକିସ୍ତାନର ୩ଟି ଏବଂ ଚୀନର ୬ଟି ସହର ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।ଦୀପାବଳି ପରଠାରୁ ଦେଶର ବିଭିନ୍ନ ସହରରେ ପ୍ରଦୂଷଣ ସ୍ତର ଦ୍ରୁତ ଗତିରେ ବଢ଼ିଛି । ଦୀପାବଳି ପରେ ତିନି ଦିନ ବିତିଯାଇଥିଲେ ମଧ୍ୟ ବାୟୁ ପ୍ରଦୂଷଣରେ ସେଭଳି କୌଣସି ହ୍ରାସ ଦେଖିବାକୁ ମିଳୁନାହିଁ । ଧୂଆଁ ଏବଂ ଚାଷ ଜମିରେ ନଡ଼ା ଜାଳିବା ଯୋଗୁଁ ବାୟୁର ମାନ ଆହୁରି ଖରାପ ହେଉଥିବା କୁହାଯାଉଛି । ପଞ୍ଜାବର ବିଭିନ୍ନ ସହରରେ ମଧ୍ୟ ପ୍ରଦୂଷଣ ସ୍ତର ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଲୁଧିଆନାରେ ସର୍ବାଧିକ AQI ୪୪୦ ରେକର୍ଡ ହୋଇଥିବା ବେଳେ ଜଳନ୍ଧରରେ ୪୩୯ ରହିଛି । ସେହିପରି ମଣ୍ଡି ଗୋବିନ୍ଦଗଡ଼ରେ ୩୯୨, ଖାନ୍ନାରେ ୩୬୭, ପଟିଆଲାରେ ୩୧୮ ଏବଂ ଅମୃତସରରେ ୩୧୩ AQI ରେକର୍ଡ କରାଯାଇଛି । ସେହିପରି ଦେଶର ପାଞ୍ଚଟି ସବୁଠାରୁ ପ୍ରଦୂଷିତ ସହରର ତାଲିକାରେ ଫରିଦକୋଟ ୬୦୫ AQI ସହ ପ୍ରଥମ ସ୍ଥାନରେ ରହିଛି । ବଠିଣ୍ଡାରେ ୫୪୦, ଶ୍ରୀଗଙ୍ଗାନଗରରେ ୫୩୫, ସିର୍ସାରେ ୫୨୬ ଏବଂ ହିସାରରେ ୫୧୪ AQI ରେକର୍ଡ ହୋଇଛି । ବଢ଼ୁଥିବା ବାୟୁ ପ୍ରଦୂଷଣ ଏବେ ବିଶେଷ କରି ଶିଶୁ ଏବଂ ବୟସ୍କଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ଖରାପ ବାୟୁ ଗୁଣବତ୍ତା ଯୋଗୁଁ ଶ୍ୱାସକ୍ରିୟା ଜନିତ ସମସ୍ୟା ଏବଂ ହୃଦରୋଗୀଙ୍କ ପାଇଁ ବିପଦ ବଢ଼ିଛି । ଏଭଳି ପରିସ୍ଥିତିରେ ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବା ସହ ଅନାବଶ୍ୟକ ଭାବେ ବାହାରେ ଅଧିକ ସମୟ ନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।
