ଋଷରେ ଭୟାବହ ସାମରିକ ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣାରେ ୬ ମୃତ, ଜଣେ ଗୁରୁତର। ଋଷର ପୂର୍ବ ପ୍ରାନ୍ତରେ ଥିବା ଅମୁର ଓବ୍ଲାଷ୍ଟ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ବିମାନରେ ଥିବା ସାତ ଜଣ କର୍ମଚାରୀଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ହିଁ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।
କିଛି ସମୟ ମଧ୍ୟରେ ବିମାନଟି ଭୂମିରେ କ୍ରାସ୍ କରିବାରୁ ଇନ୍ଧନ ଟାଙ୍କିରେ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ସମଗ୍ର ବିମାନଟି ନିଆଁର ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଫଳରେ ଭିତରେ ଥିବା କ୍ରିଉ ସଦସ୍ୟମାନେ ବାହାରି ପାରିନଥିଲେ। ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଦୁର୍ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଋଷ ସରକାର ଏବଂ ବାୟୁସେନାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ ହୋଇଛି। ଏହି ଦଳ ଅମୁର ଓବ୍ଲାଷ୍ଟ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ବିମାନର ‘ବ୍ଲାକ୍ ବକ୍ସ’ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଏହି ସିରିଜ୍ ର ଅନ୍ୟ ବିମାନଗୁଡ଼ିକର ଉଡ଼ାଣ ଉପରେ କିଛି ସାମୟିକ କଟକଣା ଲଗାଯାଇପାରେ ବୋଲି ସୂଚନା ମିଳିଛି।
