ବାରିପଦାପି ଏ ନ ):
ଅକ୍ଟୋବର ୨
ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଅଖିଳ ଭାରତ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ, ମୟୂରଭଞ୍ଜ ଶାଖା ପକ୍ଷରୁ ବିଭିନ୍ନ ସେବାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ସଂଘର ସଭାପତି ଶ୍ରୀ ଭଗବାନ ସାମଲଙ୍କ ତତ୍ତ୍ୱାବଧାନରେ ରଘୁନାଥପୁରସ୍ଥିତ ଜୀବନ ଜ୍ୟୋତି ବିକଳାଙ୍ଗ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାତଃ ଭୋଜନର ବ୍ୟବସ୍ଥା କରାଯାଇଥିଲା। ସକାଳ ୮ଟା ସମୟରେ ସଂଘର ସଦସ୍ୟମାନେ ଅନୁଷ୍ଠାନରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସ୍ୱହସ୍ତରେ ଟିଫିନ୍ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ଓ ଅନୁଷ୍ଠାନର କର୍ମଚାରୀମାନେ ସଂଘର ସଦସ୍ୟମାନଙ୍କ ସହ ଆନନ୍ଦର ସହ ଏହି ପ୍ରାତଃ ଭୋଜନରେ ସାମିଲ ହୋଇଥିଲେ।
ଏହି ଅବସରରେ ସଂଘର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ଆଚୁଆଁ ଗାନ୍ଧୀ ଜୟନ୍ତୀ ପାଳନର ମହତ୍ତ୍ୱ, ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ ଓ ସ୍ୱଚ୍ଛତାର ଆଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଶେଷରେ ସଂଘ ପକ୍ଷରୁ ଉପସ୍ଥିତ ସଦସ୍ୟ ଓ ଅନୁଷ୍ଠାନର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ସୁସ୍ଥ, ନିରାମୟ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା।

ଏହାପରେ ଅନୁଷ୍ଠାନ ପରିସରରେ ‘ସ୍ୱଚ୍ଛ ଭାରତ ଅଭିଯାନ’ ଅନ୍ତର୍ଗତ ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇଥିଲା। ସଂଘର ଉପସ୍ଥିତ ସମସ୍ତ ସଦସ୍ୟ ସ୍ୱଚ୍ଛତା କାର୍ଯ୍ୟରେ ସକ୍ରିୟ ଭାବେ ଯୋଗଦେଇ ଗାନ୍ଧୀଜୀଙ୍କ ସ୍ୱଚ୍ଛତାର ବାର୍ତ୍ତାକୁ ପ୍ରାୟୋଗିକ ରୂପ ଦେଇଥିଲେ।
ଏଥିସହ ରଘୁନାଥପୁର ରାସ୍ତାର ଉଭୟ ପାର୍ଶ୍ୱରେ ବଜ୍ରପାତ ନିରୋଧ ସମ୍ପର୍କିତ ସ୍ଥାନୀୟ ଧାରଣା ଅନୁଯାୟୀ ୨୦ଟି ତାଳମଞ୍ଜି ରୋପଣ କରାଯାଇଥିଲା। ଏହି ପଦକ୍ଷେପ ପରିବେଶ ସୁରକ୍ଷା ଓ ସବୁଜାୟନ ପ୍ରତି ସଂଘର ସାମାଜିକ ପ୍ରତିବଦ୍ଧତାକୁ ପ୍ରକାଶ କରିଛି।
ସମସ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ରୀ ଭଗବାନ ସାମଲ, କାର୍ଯ୍ୟକାରୀ ସଭାପତି ଶ୍ରୀ ସନାତନ ମୋଦି, ଉପସଭାପତି ଶ୍ରୀ ଶେଷାବତର ନାୟକ, ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ଆଚୁଆଁ, ଅର୍ଥ ସମ୍ପାଦକ ଶ୍ରୀ ରାମଚନ୍ଦ୍ର ସ୍ୱର୍ଣ୍ଣ, ସହ-ଅର୍ଥ ସମ୍ପାଦକ ଶ୍ରୀ ବିଲୁରାମ ସିଂ, ସହ-ସମ୍ପାଦକ ଶ୍ରୀ ଶ୍ରୀଧର ବେହେରା, ଶ୍ରୀ ଗଣେଶ୍ୱର ପାତ୍ର, ସଦସ୍ୟ ଶ୍ରୀ ସ୍ୱାକିଲା ସ୍ୱର୍ଣ୍ଣ ଏବଂ ବୟୋଜ୍ୟେଷ୍ଠ ସଦସ୍ୟ ଶ୍ରୀ ଭେଜୁ ମୋହନ ତନ୍ତ୍ରୀ ପ୍ରମୁଖ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
