ଲାଞ୍ଜିଗଡ଼ : ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରି ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ପ୍ରକଳ୍ପ ସଙ୍ଗମ ଅଧୀନରେ କଳାହାଣ୍ଡି ଜିଲ୍ଲାର ୩୩ଟି ଗ୍ରାମର କୃଷକମାନଙ୍କୁ ୩୩୮ରୁ ଅଧିକ ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ କରିଛି । ଆକ୍ସନ୍ ଫର୍ ଫୁଡ୍ ପ୍ରଡକ୍ସନ୍ (ଏଏଫ୍ପିଆର୍ଓ—AFPRO) ସହଭାଗିତାରେ କାର୍ଯ୍ୟକାରୀ ହେଉଥିବା ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆଧୁନିକ କୃଷି ଉପକରଣର ପ୍ରଚଳନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରିବା । ଏହାଦ୍ୱାରା କୃଷି ଉତ୍ପାଦକତା ବୃଦ୍ଧି, ସମ୍ବଳର ଦକ୍ଷ ଉପଯୋଗ ଏବଂ କୃଷକମାନଙ୍କ ଶାରୀରିକ ପରିଶ୍ରମ ହ୍ରାସ କରିବା ସମ୍ଭବ ହେବ ।
ଏହି ଦ୍ୱୈତ-ପ୍ରଣାଳୀ ସ୍ପ୍ରେୟରଗୁଡ଼ିକରେ ବ୍ୟାଟେରି ଚାଳିତ ଏବଂ ହାତଚାଳିତ—ଉଭୟ ସୁବିଧା ରହିଛି। ଏଗୁଡ଼ିକ ପାରମ୍ପରିକ ହାତଚାଳିତ ପିଠିରେ ବୋହିବା ସ୍ପ୍ରେୟରର ବିକଳ୍ପ ଭାବେ କାର୍ଯ୍ୟ କରିଥାଏ, ଯେଉଁଥିରେ ଲଗାତାର ପମ୍ପ କରିବାକୁ ପଡ଼େ। ଏହି ଆଧୁନିକ ଉପକରଣ ଦ୍ୱାରା ଅଧିକ ଦ୍ରୁତ ଏବଂ ସମାନ ଭାବରେ ଔଷଧ ସିଞ୍ଚନ କରାଯାଇପାରୁଥିବାରୁ କୃଷକମାନଙ୍କର ସମୟ ସଞ୍ଚୟ ହେବା ସହ ଫସଲ ସୁରକ୍ଷା ପଦକ୍ଷେପର ପ୍ରଭାବଶୀଳତା ବୃଦ୍ଧି ପାଉଛି।
ପାରମ୍ପରିକ ପଦ୍ଧତିରେ ଗୋଟିଏ ଏକର ଜମିରେ ଔଷଧ ସିଞ୍ଚନ କରିବା ପାଇଁ ୪ରୁ ୬ ଘଣ୍ଟା ପର୍ଯ୍ୟନ୍ତ ହାତରେ ପମ୍ପ କରିବାକୁ ପଡ଼ିଥାଏ। କିନ୍ତୁ ବିଦ୍ୟୁତ୍ ଚାଳିତ ସ୍ପ୍ରେୟରର ବ୍ୟବହାର ଦ୍ୱାରା କୃଷକମାନେ ଏହି କାମକୁ ମାତ୍ର ୨ରୁ ୩ ଘଣ୍ଟାରେ ସମ୍ପୂର୍ଣ୍ଣ କରିପାରିବେ। ଫଳରେ ଔଷଧ ସିଞ୍ଚନ ସମୟରେ ପ୍ରାୟ ୪୦ରୁ ୫୦ ପ୍ରତିଶତ ହ୍ରାସ ଘଟିବ। ଏହାର ସ୍ଥିର ଚାପ ବ୍ୟବସ୍ଥା ଔଷଧର ବୁନ୍ଦାଗୁଡ଼ିକୁ ଫସଲରେ ସମାନ ଭାବରେ ବିତରଣ କରିବା ସହ ଫସଲର ଘନ ପତ୍ରାବଳୀ ମଧ୍ୟରେ ଔଷଧ ପହଞ୍ଚାଇବାରେ ସହାୟକ ହେବ। ଏହାଦ୍ୱାରା ଜଳ ଓ କୀଟନାଶକର ଅପଚୟ ହ୍ରାସ ପାଇବା ସହ ଫସଲ ସୁରକ୍ଷା ଅଧିକ ପ୍ରଭାବଶାଳୀ ହେବ।
