ପୁରୀ : ପୁରୀରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ଆଜି ଅପରାହ୍ନରେ ସେ ପୁରୀରେ ପହଞ୍ଚିବା ପରେ ଲୋକଭବନରେ ରହିଁଥିଲେ । ସେଠାରୁ ସେ ସନ୍ଧ୍ୟାରେ ସପରିବାରେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ପୁରୀ ଗସ୍ତ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ତାଙ୍କ ବୃଦ୍ଧା ମା ମଧ୍ୟ ତାଙ୍କ ସହ ଆସିଥିଲେ । ତାଙ୍କୁ ପରିବାର ଲୋକଙ୍କ ସହ ମିଶି ଶ୍ରୀମନ୍ଦିର ଭିତରକୁ କାନ୍ଧେଇ ନିଆଯାଇଥିଲା । ଅରୁଣ ସ୍ତମ୍ଭ ନିକଟ ପ୍ରଣିପାତ କରିବା ପରେ ସପତ୍ନୀକ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ସେ ମା ମହାଲକ୍ଷ୍ମୀ ଓ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ ।
ତାଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂହ ,ଶ୍ରୀମନ୍ଦିର ନୀତି ଓ ସୁରକ୍ଷା ପ୍ରଶାସକ ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ଲୋକଭବନର ନୂଆ ଅଭିଷେକ ହଲ୍ରେ ସେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ।
ଦର୍ଶନ ପରେ ନବ ନିଯୁକ୍ତ ରାଜ୍ୟପାଳ ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ଗର୍ବ ଓ ଗୌରବର କଥା । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ଇଚ୍ଛା ଥିଲା । ମହାପ୍ରଭୁଙ୍କ ଅପାର କରୁଣା ଓ ଆଶୀର୍ବାଦରେ ଆଜି ଅତି ସୁନ୍ଦରଦର୍ଶନ ହେଲା । ଆସନ୍ତା କାଲି ଶପଥ ନେବା ପରେ କାମ ଆରମ୍ଭ ହେବ ।ସମସ୍ତଙ୍କ ସହ ମିଶି ,ଆଲୋଚନା କରି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି।ଓଡ଼ିଶାର ପ୍ରଗତି ,ବିକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
