ଓଡ଼ିଶୀର ଗୌରବ ଉଜ୍ଜ୍ୱଳ, ଓଡ଼ିଶା ଗର୍ବିତ, କଳା ସାଧନାକୁ ମିଳିଲା ଜାତୀୟ ସ୍ୱୀକୃତି!
ଓଡ଼ିଶାର କଳା ଓ ସଂସ୍କୃତି ପାଇଁ ଏହା ଏକ ଗୌରବମୟ ଓ ସ୍ମରଣୀୟ ମୁହୂର୍ତ୍ତ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀ ଗୌରୀଶଙ୍କର ଦାଶ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ସଙ୍ଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ ପକ୍ଷରୁ ସମ୍ମାନଜନକ ଉସ୍ତାଦ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର–୨୦୨୪ ପାଇ ଓଡ଼ିଶାକୁ ଜାତୀୟ ସ୍ତରରେ ଗୌରବାନ୍ୱିତ କରିଛନ୍ତି।
୧୯ ଅକ୍ଟୋବର ୨୦୨୬ରେ ନୂଆଦିଲ୍ଲୀସ୍ଥିତ ମେଘଦୂତ ଥିଏଟର କମ୍ପ୍ଲେକ୍ସ, ରବୀନ୍ଦ୍ର ଭବନଠାରେ ଏହି ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା। ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଆହୁରି ଗୌରବାନ୍ୱିତ କରୁଥିବା ପ୍ରତିଭାବାନ କଳାକାରମାନଙ୍କ କଳାନୈପୁଣ୍ୟ, ସାଧନା ଓ ନିଷ୍ଠାକୁ ଏହି ସମାରୋହରେ ସମ୍ମାନିତ କରାଯାଇଥିଲା
ଏହି ଗରିମାମୟ ସମାରୋହରେ ଭାରତ ସରକାରଙ୍କ ମାନ୍ୟବର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପୁରସ୍କାର ପ୍ରଦାନ କରିଥିଲେ।ସମାରୋହରେ ବିଶିଷ୍ଟ ଅତିଥି ଭାବେ ଶ୍ରୀ ବିବେକ ଅଗ୍ରୱାଲ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସଚିବ; ଶ୍ରୀ ରାଜୁ ଦାସ, ସଙ୍ଗୀତ ନାଟକ ଏକାଡେମୀର ସଚିବ; ପଦ୍ମଶ୍ରୀ ଅନୱର ଖାନ୍ ମଙ୍ଗନିୟାର, ସଙ୍ଗୀତ ନାଟକ ଏକାଡେମୀର ଉପାଧ୍ୟକ୍ଷ ଏବଂ ଡ. ସନ୍ଧ୍ୟା ପୁରେଚା, ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷା ଉପସ୍ଥିତ ଥିଲେ। ଡ. ସନ୍ଧ୍ୟା ପୁରେଚା ସମାରୋହରେ ସଭାପତିତ୍ୱ କରିଥିଲେ।
ଏହି ସମ୍ମାନ ଶ୍ରୀ ଗୌରୀଶଙ୍କର ଦାଶଙ୍କ ନିରନ୍ତର ସାଧନା, ଅସାଧାରଣ କଳାନୈପୁଣ୍ୟ ଓ ଓଡ଼ିଶୀ ନୃତ୍ୟର ଚିରନ୍ତନ ସୌନ୍ଦର୍ଯ୍ୟକୁ ସଂରକ୍ଷଣ ତଥା ପ୍ରଚାର-ପ୍ରସାର କରିବା ପ୍ରତି ତାଙ୍କର ଅତୁଟ ନିଷ୍ଠାର ଏକ ମହାନ ସ୍ୱୀକୃତି। ତାଙ୍କର ଏହି ସଫଳତା ସମଗ୍ର ଓଡ଼ିଶା ପାଇଁ ଆନନ୍ଦ ଓ ଗର୍ବର ବିଷୟ ଏବଂ ଆମ ଗୌରବମୟ ଶାସ୍ତ୍ରୀୟ ନୃତ୍ୟ ପରମ୍ପରାର ମହତ୍ତ୍ୱକୁ ପୁନଃ ପ୍ରତିପାଦିତ କରୁଛି।
ଶ୍ରୀ ଗୌରୀଶଙ୍କର ଦାଶଙ୍କୁ ହୃଦୟଭରା ଅଭିନନ୍ଦନ ଓ ଅଶେଷ ଶୁଭେଚ୍ଛା!ତାଙ୍କର ଏହି ଗୌରବମୟ ଉପଲବ୍ଧି ଆଗାମୀ ଦିନରେ ଆହୁରି ଅନେକ ସଫଳତାର ପଥ ଉନ୍ମୁକ୍ତ କରୁ। ତାଙ୍କର କଳାପ୍ରତି ନିଷ୍ଠା, ନୃତ୍ୟର ଅଭିବ୍ୟକ୍ତି ଓ ଅକ୍ଳାନ୍ତ ସାଧନା ନୂତନ ପିଢ଼ିର ନୃତ୍ୟଶିଳ୍ପୀମାନଙ୍କୁ ପ୍ରେରଣା ଯୋଗାଉ। ଓଡ଼ିଶୀର ଦିବ୍ୟ ଭାବ, ଅପୂର୍ବ ଲାସ୍ୟ ଓ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ବିଶ୍ୱ ଦରବାରରେ ଚିରଦିନ ଉଜ୍ଜ୍ୱଳ ହୋଇ ରହୁ।
