ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଆକ୍ରମଣକାରୀଙ୍କ ପ୍ରଥମ ଟାର୍ଗେଟ୍ ଥିଲେ ସଲମାନ ଖାନ୍। କିନ୍ତୁ ସଲମାନଙ୍କ ଘରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ ଯୋଜନା ବଦଳାଇ ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରିଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ମୁମ୍ବାଇ ପୋଲିସ ସୂତ୍ରକୁ ଉଦ୍ଧୃତ କରି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ପୋଲିସ ସୂତ୍ର ଅନୁସାରେ, ଗୁଳିମାଡ଼ ପୂର୍ବରୁ ଦୁଇ ଆକ୍ରମଣକାରୀ ମୁମ୍ବାଇର ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡସ୍ଥିତ ସଲମାନ ଖାନଙ୍କ ବାସଭବନ ନିକଟରେ ରେକି କରିଥିଲେ । ତେବେ ସେଠାରେ କଡ଼ା ପୋଲିସ ସୁରକ୍ଷା ଥିବାରୁ ଆକ୍ରମଣ କରିବା ସମ୍ଭବ ନୁହେଁ ବୋଲି ସେମାନେ ଜାଣିବାକୁ ପାଇଥିଲେ। ପରେ ଗ୍ୟାଙ୍ଗର ଯୋଜନା ବଦଳିଥିଲା । ସଲମାନଙ୍କ ବଦଳରେ ଅପେକ୍ଷାକୃତ ସହଜ ଟାର୍ଗେଟ୍ ଖୋଜିଥିଲେ ଆକ୍ରମଣକାରୀ । ସୋସିଆଲ୍ ମିଡିଆରେ ଟାଇଗର ଶ୍ରଫଙ୍କ ପ୍ରଶଂସକଙ୍କ ପୋଷ୍ଟରୁ ସେମାନେ ଜାଣିବାକୁ ପାଇଥିଲେ ଯେ, ଟାଇଗର ପ୍ରତି ରବିବାର ଜୁହୁସ୍ଥିତ ପୁଷ୍ପା ନର୍ସୀ ଗ୍ରାଉଣ୍ଡକୁ ଫୁଟବଲ୍ ଖେଳିବାକୁ ଯାଆନ୍ତି । ଟାଇଗରଙ୍କ ପାଖରେ ପୋଲିସ ସୁରକ୍ଷା ନଥିବାରୁ ତାଙ୍କୁ ଟାର୍ଗେଟ୍ କରିବା ସହଜ ହେବ ବୋଲି ଗ୍ୟାଙ୍ଗ ଭାବିଥିଲା । ସଲମାନଙ୍କୁ ଟାର୍ଗେଟ୍ କରିବା ସମ୍ଭବ ନୁହେଁ ବୋଲି ଆକ୍ରମଣକାରୀମାନେ ଗୁଳିମାଡ଼ ପାଇଁ ନିର୍ଦ୍ଦେଶ ଦେଇଥିବା ବିଷ୍ଣୋଇ ଗ୍ୟାଙ୍ଗର ଘନିଷ୍ଠ ସହଯୋଗୀ ଅମିତ ପଣ୍ଡିତଙ୍କୁ ଜଣାଇଥିଲେ । ପରେ ରବିବାର ସନ୍ଧ୍ୟାରେ ଦୁଇ ଆକ୍ରମଣକାରୀ ପିସ୍ତଲ ଧରି ଫୁଟବଲ୍ ଗ୍ରାଉଣ୍ଡ ନିକଟରେ ଟାଇଗରଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଟାଇଗରଙ୍କ କାର୍ ଗେଟ୍ ବାହାରକୁ ବାହାରିବା ସମୟରେ ଗୁଳିମାଡ଼ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ଏସବୁ ତଥ୍ୟ ପୋଲିସ ସୂତ୍ର ଆଧାରିତ ହୋଇଥିବାବେଳେ ଆକ୍ରମଣ ପଛର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଏବଂ ଗ୍ୟାଙ୍ଗର ଭୂମିକା ସମ୍ପର୍କରେ ତଦନ୍ତ ଜାରି ରହିଛି।
