ଭୁବନେଶ୍ୱର : ଖଣିଜ ସମ୍ପଦରୁ ମାଇକ୍ରୋଚିପ୍, ପାରମ୍ପରିକ ଶିଳ୍ପରୁ ଆଧୁନିକ ପ୍ରଯୁକ୍ତି । ଓଡ଼ିଶା ଏବେ ବିକାଶର ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି। ଖଣି କ୍ଷେତ୍ରରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଛି। ଆଗାମୀ ଦିନରେ ଓଡ଼ିଶା ନିଜର ନୂଆ ଭବିଷ୍ୟତ ନିର୍ମାଣ କରିବ ଏବଂ ରାଜ୍ୟର ଯୁବପିଢ଼ିଙ୍କ ସ୍ୱପ୍ନ ସାକାର ହେବ। ଜଟଣୀରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ ଅବସରରେ ଏଭଳି ଆଶା ଓ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଖଣିଜ ସମ୍ପଦ ପାଇଁ ପରିଚିତ ଓଡ଼ିଶା ଏବେ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ୁଛି। ଖଣିରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ଏହି ଯାତ୍ରା ଓଡ଼ିଶାର ନୂଆ ପରିଚୟ ସୃଷ୍ଟି କରିବ। ରାଜ୍ୟର ଯୁବକଯୁବତୀଙ୍କ ପ୍ରତିଭା, ଆକାଂକ୍ଷା ଓ ସ୍ୱପ୍ନକୁ ନୂଆ ଦିଗ ମିଳିବ। ଓଡ଼ିଶାର ଯୁବପିଢ଼ି ଯେଉଁ ବଡ଼ ସ୍ୱପ୍ନ ଦେଖୁଛନ୍ତି, ତାହାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି। RBI ଡାଟା ସେଣ୍ଟର ଉଦଘାଟନ ଅବସରରେ ମୋଦୀ କହିଛନ୍ତି, ନୂଆ ଭାରତକୁ ଭୁବନେଶ୍ୱର ଏକ ନୂଆ ଅନୁଷ୍ଠାନ ଉପହାର ଦେଉଛି। ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ଅବସର।
ଏହି ପ୍ରକଳ୍ପ ସହ ଜଡ଼ିତ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଦେଶର ବିକାଶ ମଡେଲ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଲୋକାଭିମୁଖୀ ଓ ସକ୍ରିୟ ସୁଶାସନକୁ ଗୁରୁତ୍ୱ ଦେଇଆସୁଛନ୍ତି। ବିକାଶର ଅର୍ଥ କେବଳ ବଡ଼ ବଡ଼ ସହରର ଉନ୍ନତି ନୁହେଁ। ଗାଁ, ଛୋଟ ସହର ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ସମାନ ସୁଯୋଗ ସୃଷ୍ଟି କରିବା ଜରୁରୀ। ଦେଶର ପ୍ରତ୍ୟେକ ନାଗରିକ ଯେପରି ବିକାଶର ସୁଫଳ ପାଇପାରିବେ, ସେଥିପାଇଁ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି।
ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମି ବିକାଶର ଉଦାହରଣ ଦେଇ ମୋଦୀ କହିଛନ୍ତି, ଆଜି ଏକ୍ସପ୍ରେସୱେ ଛୋଟ ସହରଗୁଡ଼ିକୁ ସଂଯୋଗ କରୁଛି। ଅନେକ ରାଜ୍ୟରେ AIIMS ଭଳି ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସମ୍ପ୍ରସାରଣ ହେଉଛି। ଛୋଟ ସହରରେ ମେଡିକାଲ୍ କଲେଜ ପ୍ରତିଷ୍ଠା କରାଯାଉଛି। ଗରିବ ପରିବାର ଯେପରି ସମ୍ମାନର ସହ ଜୀବନଯାପନ କରିପାରିବେ ଏବଂ ବିକାଶ ଯାତ୍ରାରେ କେହି ପଛରେ ରହିବେ ନାହିଁ, ତାହା ସରକାରଙ୍କ ଲକ୍ଷ୍ୟ ବୋଲି ଦୋହରାଇଛନ୍ତି ।
ଓଡ଼ିଶାର ଭବିଷ୍ୟତକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଯୁବଶକ୍ତି, ପ୍ରଯୁକ୍ତି ଓ ନୂଆ ସମ୍ଭାବନା ଉପରେ ବିଶେଷ ଗୁରୁତ୍ୱ ରହିଥିଲା। ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା ଆଗାମୀ ଦିନରେ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବ। ଖଣିରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ଓଡ଼ିଶାର ଅଗ୍ରଯାତ୍ରା ଜାରି ରହିବ ଏବଂ ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
