ରାୟଗଡ଼ା/କଲ୍ୟାଣସିଂହପୁର:
ବେଙ୍ଗାଲୁରୁସ୍ଥିତ ପ୍ରତିଷ୍ଠିତ ଭାରତୀୟ ବିଜ୍ଞାନ ସଂସ୍ଥାନ (IISc)ର ଚଲ୍ଲାକେରେ କ୍ୟାମ୍ପସରେ ଆୟୋଜିତ ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସେଣ୍ଟର (ଟିଡିସି) ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଡିଙ୍ଗର ନାଏକ। ଏହି ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ (Best Performer) ଭାବେ ପୁରସ୍କୃତ ହୋଇଛନ୍ତି।
ସୂଚନା ଅନୁସାରେ, ଶ୍ରେଣୀଗୃହରେ ବିଜ୍ଞାନ ଶିକ୍ଷାଦାନର ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନବ ପ୍ରାୟୋଗିକ (ପ୍ରାକ୍ଟିକାଲ୍) କୌଶଳ ମାଧ୍ୟମରେ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ IISc ପକ୍ଷରୁ ଏହି ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟରୁ ବହୁ ଅଭିଜ୍ଞ ଶିକ୍ଷକ ଯୋଗ ଦେଇଥିଲେ। ତେବେ ଶ୍ରୀ ନାଏକ ତାଙ୍କର ଉଲ୍ଲେଖନୀୟ ପାରଦର୍ଶିତା, ଅଭିନବ ପ୍ରୟୋଗ ଓ ଉତ୍ସର୍ଗୀକୃତ ପ୍ରଦର୍ଶନ ବଳରେ ବିଚାରକମାନଙ୍କ ଦୃଷ୍ଟି ଆକର୍ଷଣ କରି ଏହି ସମ୍ମାନ ହାସଲ କରିଛନ୍ତି।
ଶ୍ରୀ ନାଏକଙ୍କ ଏହି କୃତିତ୍ୱ ପାଇଁ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରଞ୍ଜିତ କୁମାର ଗିରି ଗଭୀର ସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ସେହିପରି ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ (DEO), ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ADEO) ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ସଫଳତା ଜିଲ୍ଲାର ଅନ୍ୟ ଶିକ୍ଷକମାନଙ୍କୁ ଗୁଣାତ୍ମକ ତଥା ପ୍ରୟୋଗାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ନୂତନ ପ୍ରେରଣା ଯୋଗାଇବ ବୋଲି ଶିକ୍ଷା ମହଲରେ ମତପ୍ରକାଶ ପାଇଛି।
