ଓଡିଶା ଶିଳ୍ପୀ ମହାସଂଘର ଚତୁର୍ଦଶ ବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ

ଆମ ରାଜ୍ୟର ଶିଳ୍ପୀ ଓ ବୁଣାକାର ଆମ ଓଡିଶା ଅସ୍ମିତାର ପରିଚୟ । ଆନ୍ଦୋଳନ ନୁହେଁ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସମସ୍ୟା । ରାଜ୍ୟ ସରକାରଙ୍କ ସହ ଆଲୋଚନାର ସେ ମାଧ୍ୟମ ହେବେ ବୋଲି ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା କହିଛନ୍ତି । ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଓଡିଶା ଶିଳ୍ପୀ ମହାସଂଘର ଚତୁର୍ଦଶ ବାର୍ଷିକ ମହୋତ୍ସବର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଶ୍ରୀ ବେହେରା ଓଡିଶା କଳା କାରିଗରୀର ବିକଳ୍ପ ନାହିଁ ବୋଲି ପ୍ରକାଶ କରିଛନ୍ତି । ନିଯୁକ୍ତିର ଏକ ପ୍ରମୁଖ କ୍ଷେତ୍ର ଆମ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ର ବର୍ଷ ବର୍ଷ ଧରି ଆମ ଗ୍ରାମୀଣ ଅର୍ଥନିତୀକୁ ସମୃଦ୍ଧ କରି ଆସୁଛି ।

ତତସହିତ କାରିଗର ବୁଣାକାରଙ୍କୁ ମାସିକ ଆର୍ଥିକ ସହାୟତା ଓ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ କିଭଳି ସକ୍ରିୟ ଭାବେ କାର୍ଯ୍ୟ କରିବ ସେଥିପାଇଁ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାଂସଦ ଶ୍ରୀ ବେହେରା ନିଜ ବକ୍ତବ୍ୟରେ କହିଛନ୍ତି । ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ନିଜ ବକ୍ତବ୍ୟରେ ରାଜ୍ୟ ବୁଣାକାର ଓ କାରିଗରଙ୍କ ପାଇଁ ଗଠିତ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ଘାଟିକିଆ ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଏବଂ ଏହା ପରିସରରେ ଥିବା ହଲଗୁଡିକୁ କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନସ୍ଥ ନ୍ୟାସନାଲ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀକୁ ହସ୍ତାନ୍ତର ପାଇଁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଉଦ୍ୟମ କରୁଥିବାରୁ ଦୃଢ ନିନ୍ଦା କରିଥିଲେ । ଏଭଳି ପଦେକ୍ଷପରୁ ରାଜ୍ୟ ସରକାର କ୍ଷାନ୍ତ ରହିବା ସହ ପରିଷଦର ପରିଚାଳନା ବୋର୍ଡ ଗଠନ କରିବାକୁ ଦାବୀ କରିଥିଲେ । ନଚେତ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥୀ ଭାବେ ରାଷ୍ଟ୍ରିୟ ପତ୍ରକାର ମହାସଂଘର ସଭାପତି ତଥା ପର୍ଯ୍ୟବେକ୍ଷକ ଓ ଦି କଳିଙ୍ଗ କ୍ରୋନିକଲର ମୁଖ୍ୟ ସମ୍ପାଦକ ଡ. ପବିତ୍ରମୋହନ ସାମନ୍ତରାୟ ଯୋଗ ଦେଇ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମଗ୍ରିକ ବିକାଶ ପାଇଁ ଓଡିଶା ଶିଳ୍ପୀ ମହାସଂଘର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏକାଠି ରହିଲେହିଁ ଏହି ଶିଳ୍ପୀ ଜାତିର ବିକାଶ ସମ୍ଭବ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ । ମୁଖ୍ୟ ବକ୍ତା ଭାବେ ବୟନିକାର ରାଜ୍ୟ ସଭାପତି ପ୍ରକାଶ ଚନ୍ଦ୍ର ମେହେର ନିଜ ବକ୍ତବ୍ୟରେ କହିଥିଲେ,ଆମ କାରିଗର ଓ ବୁଣାକାର ସ୍ୱେଦେଶୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଅଟନ୍ତି । ଆମ ପାରଂପରିକ ବୟନ ଓ ହସ୍ତକଳାର ସଂରକ୍ଷଣ ସହ ବଜାର ଚାହିଦା ଅନୁସାରେ ନୁଆ ନୂଆ ଡିଜାଇନର ଆବଶ୍ୟକତା ରହିଛି । ଅନ୍ୟତମ ସମ୍ମାନିତ ଅତିଥୀ ଭାବେ ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି, କନ୍ଧମାଳ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ, ଆଦିବାସୀ ଗବେଷକ ସୂର୍ଯ୍ୟକାନ୍ତ ପାଢୀ, ଦୁରଦର୍ଶନର ପୂର୍ବତନ ଡେପୁଟୀ ଡାଇରେକ୍ଟର ନିଉଜ ସୁଧାଂଶୁ ଶେଖର ଧଡା, ମହାସଂଘର କନ୍ଧମାଳ ଜିଲ୍ଲା ସଭାପତି ସଂଯୁକ୍ତା ବିଶୋୟୀ ଓ ସରୋଜିନୀ ଦାସ ମଂଚ ଉପରେ ଉପସ୍ଥିତ ଥିଲେ ।
ଆଜିର କାର୍ଯ୍ୟକ୍ରମ ସଂଚାଳନ କରୁଥିବା ଓଡିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର ତିନଟି ପ୍ରସ୍ତାବ ଉପସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନାର ସଠିକ କାର୍ଯ୍ୟକାରିତା, ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ଗଠନ ଏବଂ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ବଜେଟକୁ ୫ହଜାର କୋଟିକୁ ବୃଦ୍ଧି କରିବାକୁ ମହାସଂଘ ପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା । ବିଭିନ୍ନ ସମୟରେ ମହାସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଉଛି, ହେଲେ ରାଜ୍ୟ ସରକାର କର୍ଣ୍ଣପାତ କରୁ ନଥିବାରୁ ଆଜିର ସମାବେଶରେ କ୍ଷୋଭ ପ୍ରକାଶ ପାଇଥିଲା । ସେହିଭଳି ଭୂମିହୀନ କାରିଗରଙ୍କୁ ଘରଢିହ, ପିଲାଙ୍କୁ ଛାତ୍ରବୃତି ଓ ବିନା ସୁଧରେ ଋଣ, ଜୀବନ ବୀମା, ଭୁବନେଶ୍ୱରରେ ସାମୟିକ ରହଣୀ ପାଇଁ କାରିଗର ହଷ୍ଟେଲ,କାରିଗର କଲ୍ୟାଣ ପାଣ୍ଠି, ଜାତୀୟ ରାଜପଥ କଡରେ କାରିଗର ହାଟ ଓ ନୂତନ ଶିଳ୍ପୀ ଗ୍ରାମ ଘୋଷଣା ଆଦି ପାଇଁ ଆଜିର ସମାବେଶରେ ଦାବୀ ଉତଥାପନ କରାଯାଇଥିଲା । ବୁଣାକାରଙ୍କୁ ରିହାତି ଦରରେ ଟସର, ସୂତା ଓ ରଂଗ ଏବଂ ରାଜ୍ୟର କାରିଗରଙ୍କୁ ସ୍ୱଳ୍ପ ମୂଲ୍ୟରେ କଂଚାମାଲ ଯୋଗାଇଦେବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଥିଲା ।
ଚଳିତ ବର୍ଷ ଶିଳ୍ପୀ ମହାସଂଘର ଶ୍ରେଷ୍ଠ ସମ୍ମାନ ଶିଳ୍ପୀଶ୍ରୀ ପୁରସ୍କାର କନ୍ଧମାଳ ଜିଲ୍ଲା ବାରଖମାର ବିଶିଷ୍ଠ ଢୋକ୍ରା ଶିଳ୍ପୀ ବାନୁ ନାୟକ ଓ ବୟନଶ୍ରୀ ପୁରସ୍କାର ରାୟଗଡା ଜିଲ୍ଲା ଖଜୁରୀର ଡଂଗରିଆ କନ୍ଧ ବୁଣାକାର ସିନ୍ଦେ ଓାଡକାଙ୍କୁ ପ୍ରଦାନ କରାଯାଇଛି । ଠିକ ସେହିଭଳି ଶିଳ୍ପୀ ସଖା ପୁରସ୍କାର ଭୁବନେଶ୍ୱରର କଳା ଗବେଷିକା ତଥା ଲେଖିକା ସୁମିତ୍ରା ପାଢୀଙ୍କୁ ଓ ଶିଳ୍ପୀ ସହଯୋଗୀ ସମ୍ମାନରେ କାରିଗରଙ୍କ ବିକାଶ କ୍ଷେତ୍ରରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫୁଲବାଣୀର ପାହାଡ ଓ କଟକର ମୁଭମେଂଟ ଫର ଅର୍ବାନାଇଜେସନ ଅନୁଷ୍ଠାନକୁୁ ସମ୍ମାନିତ କରାଯାଇଛି । ଏହି ଅବସରରେ ସ୍ଥାନୀୟ କାରିଗରଙ୍କ କଳାକୃତିକୁ ନେଇ ଏକ ହସ୍ତକଳା ପଦର୍ଶନୀର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପରିଚାଳନାରେ କଳ୍ପନା ରଣା, ପ୍ରଶାନ୍ତ ବେହେରା, କଳ୍ପତରୁ ପଣ୍ଡା, ଭାସ୍କର ମହାରଣା,ସାଗର ନାୟକ,ଜଟିଆ ନାୟକ,ମାଳତୀ କହଁର ଓ ସୁଷମା ମହାରଥା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମହାସଂଘର କନ୍ଧମାଳ ଜିଲ୍ଲା ଶାଖା ସଂପାଦକ ଆଲୋକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
