ଜୟପୁର : ରାଜସ୍ଥାନରେ ଆଉ ହେବନି ଟ୍ରେନ ଦୁର୍ଘଟଣା । ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି । ରାଜସ୍ଥାନର ୬୭ କିଲୋମିଟର ରେଳପଥରେ ଆରମ୍ଭ ହୋଇଛି ଅତ୍ୟାଧୁନିକ କବଚ ଟେକ୍ନୋଲୋଜି । ଏହା ଏକ ସ୍ୱଦେଶୀ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା, ଯାହା ଟ୍ରେନ୍ ମଧ୍ୟରେ ସମ୍ଭାବ୍ୟ ଧକ୍କାକୁ ରୋକିବାରେ ସହାୟକ ହେବ। ଉତ୍ତର ପଶ୍ଚିମ ରେଳବାଇରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ଉତ୍ତର ପଶ୍ଚିମ ରେଳବାଇର ଜୟପୁର ଡିଭିଜନ ଅନ୍ତର୍ଗତ କନୌଟା-ବାନ୍ଦିକୁଇ ରେଳଖଣ୍ଡରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଏହି ୬୭ କିଲୋମିଟର ରେଳପଥର ୭ଟି ବ୍ଲକ୍ ସେକ୍ସନରେ କବଚ ସିଷ୍ଟମ୍ କାର୍ଯ୍ୟକ୍ଷମ ହୋଇଛି । ଏକାଧିକ ପର୍ଯ୍ୟାୟରେ ସଫଳ ପରୀକ୍ଷଣ ପରେ ଏଠାରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । କବଚ ସିଷ୍ଟମ୍ ସ୍ଥାପନ ପରେ ଏହାର ଫିଲ୍ଡ ଟ୍ରାଏଲ୍ କରାଯାଇଥିଲା । ଏହି ସମୟରେ ଟ୍ରେନର ବ୍ରେକିଂ ସିଷ୍ଟମ୍, ବେଗ, ସିଗନାଲ୍ ଅତିକ୍ରମ କରିବା ସମେତ ବିଭିନ୍ନ ସୁରକ୍ଷା ମାପଦଣ୍ଡର ପରୀକ୍ଷା କରାଯାଇଥିଲା ।
କବଚ ହେଉଛି ଭାରତରେ ବିକଶିତ ଏକ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା । ଏହା ଟ୍ରେନ୍ ଚଳାଚଳ ସମୟରେ ସମ୍ଭାବ୍ୟ ଦୁର୍ଘଟଣାର ଆଶଙ୍କାକୁ କମ୍ କରିବାରେ ସହାୟତା କରେ । ଯଦି କୌଣସି ଟ୍ରେନର ଲୋକୋ ପାଇଲଟ୍ ଲାଲ୍ ସିଗନାଲ୍ ଅତିକ୍ରମ କରନ୍ତି କିମ୍ବା ନିର୍ଦ୍ଧାରିତ ବେଗଠାରୁ ଅଧିକ ଗତିରେ ଟ୍ରେନ୍ ଚଳାନ୍ତି, ତେବେ ଆବଶ୍ୟକ ସ୍ଥିତିରେ ଏହି ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ବ୍ରେକ୍ ଲଗାଇପାରିବ । ଏହା ସହିତ ଗୋଟିଏ ରେଳପଥରେ ଦୁଇଟି ଟ୍ରେନ୍ ମଧ୍ୟରେ ସମ୍ଭାବ୍ୟ ଧକ୍କାର ଆଶଙ୍କା ଥିଲେ ଟ୍ରେନକୁ ଅଟକାଇବାରେ ମଧ୍ୟ ସହାୟତା କରିଥାଏ । କୁହୁଡ଼ି ଓ ଖରାପ ପାଗ ସମୟରେ ମଧ୍ୟ ଲୋକୋ ପାଇଲଟଙ୍କୁ ସିଗନାଲ୍ ଓ ଟ୍ରେନ୍ ଚଳାଚଳ ସମ୍ପର୍କିତ ତଥ୍ୟ ଦେବାରେ ଏହା ସହାୟକ ହୋଇଥାଏ ।
ଉତ୍ତର ପଶ୍ଚିମ ରେଳବାଇର ସମଗ୍ର ଅଞ୍ଚଳରେ କବଚ ଟେକ୍ନୋଲୋଜି ଲାଗୁ କରିବା ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟରେ ୧,୫୮୬ କିଲୋମିଟର ରେଳପଥରେ ଏହି ବ୍ୟବସ୍ଥା ସ୍ଥାପନ କରାଯିବ । ଏଥିରୁ ପ୍ରାୟ ୭୦ ପ୍ରତିଶତ କାମ ଶେଷ ହୋଇଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି । ଚଳିତ ଆର୍ଥିକ ବର୍ଷରେ ୨୫୦ କିଲୋମିଟରରୁ ଅଧିକ ରେଳପଥରେ କବଚ ବ୍ୟବସ୍ଥା ଆରମ୍ଭ କରିବାର ଲକ୍ଷ୍ୟ ରହିଛି ।
