ଭଦ୍ରକ : ଜଣେ ଅନ୍ତରାଷ୍ଟ୍ରୀୟ ସାଇବର ଠକକୁ ଗିରଫ କରିଛି ଭଦ୍ରକ ଜିଲ୍ଲା ପୋଲିସ । ଏହାସହ ସାଇବର ଅପରାଧ ନେଟ ୱର୍କର କରିଛି ପର୍ଦାଫାଶ । ଗିରଫ ସାଇବର ଠକ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ରଘୁନାଥ ପୁର ଗାଁର ଶୁଭମ ଜ୍ୟୋତି ନାୟକ । ସେ ଗତ କିଛି ମାସ ହେଲା ସାଇବର ଅପରାଧ ନେଟୱର୍କର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ।
ସାଧାରଣ ଲୋକଙ୍କ ନାମରେ ଅଭିନଵ ଉପାୟରେ ସିମ କାର୍ଡ ସଂଗ୍ରହ କରି ତାର ଓଟିପି ଚୀନ ଏବଂ ଅନ୍ୟ ରାଜ୍ୟର ଥିବା ସାଇବର ଠକଙ୍କ ପାଖକୁ ପଠାଉଥିଲେ । ଏଥିପାଇଁ ହ୍ବାଟ୍ସଆପ ଓ ଟେଲିଗ୍ରାମକୁ କରୁଥିଲେ ମାଧ୍ୟମ । ସେମାନେ ସେଠାରେ ରହି ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଠକି ନେଉଥିଲେ । ଏଥିପାଇଁ ଶୁଭମ ଜ୍ୟୋତି ନାୟକଙ୍କୁ ସେହି ଅର୍ନ୍ତରାଷ୍ଟ୍ରୀୟ ଠକ ମାନେ କିଛି ଟଙ୍କା ଦେଉଥିଲେ ।
ଏହି ଖବର ଭଦ୍ରକ ପୋଲିସ ପାଖରେ ପହଞ୍ଚିବା ପରେ ଭଦ୍ରକ ସାଇବର କ୍ରାଇମ ଓ ଇକୋନମିକ ଅଫେନ୍ସ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଶେଷରେ ଶୁଭମ ଜ୍ୟୋତି ଗିରଫ ହୋଇଥିଲା । ଗିରଫ ବେଳେ ତା ନିକଟ ରୁ ୧୩ଶହ ୩୩ଟି ସିମ, ୧୩ଟି ବ୍ୟାଙ୍କ ପାସ ବୁକ, ୪ଟି ଚେକ ବୁକ, ଏକ ଲକ୍ଷ ୭୩ ହଜାର ୫୦୦ଟଙ୍କା ନଗଦ ଅର୍ଥରାଶି ଜବତ ହୋଇଥିଲା ।
ଏହାବାଦ ୪ଟି କିପ୍ୟାଡ୍ ମୋବାଇଲ, ଗୁଗୁଲ ପେ କୋଡ୍ , ଏଟିଏମ, ୨ଟି ଫୋନ ଓ ଗୋଟିଏ ବାଇକ ମଧ୍ୟ ଜବତ ହୋଇଥିଲା । ଏ ମାମଲାରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଚାଲିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।
