ଭୁବନେଶ୍ବର: ରାଜ୍ୟରେ ଭିତ୍ତିଭୂମି ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ ୨,୩୫୯ କୋଟି ଟଙ୍କା ଏବଂ ପରିବହନ କ୍ଷେତ୍ର ପାଇଁ ୬୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ଅଧୀନରେ ୬୪୨ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜଳାଭାବ ଅଞ୍ଚଳରେ ଭୂତଳ ଜଳର ସହନୀୟ ଉତ୍ତୋଳନ ପାଇଁ ୩୦୦ କୋଟି ଟଙ୍କା, ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଅଧୀନରେ ସେତୁବନ୍ଧନ ଯୋଜନା ପାଇଁ ୧୦୦ କୋଟି ଟଙ୍କା ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ସଡ଼କ ପୁନଃନିର୍ମାଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ରାଜ୍ୟରେ ନୂତନ ରେଳ ପ୍ରକଳ୍ପର ବିକାଶ ଓ ଜମି ଅଧିଗ୍ରହଣ ବାବଦକୁ ରାଜ୍ୟର ଅବଦାନ ଭାବେ ୫୫୦ କୋଟି ଟଙ୍କା ଏବଂ ସବୁଜ ଓଡ଼ିଶା ବୈଦ୍ୟୁତିକ ଯାନ EV ନୀତି ଅଧୀନରେ ରିହାତି ପାଇଁ ୧୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଶିକ୍ଷା କ୍ଷେତ୍ର ଲାଗି ୧ ହଜାର ୭୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସ୍ନାତକୋତ୍ତର ପର୍ଯ୍ୟନ୍ତ ମୁକ୍ତ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି ଯୋଜନାରେ ୪୮୫ କୋଟି ଟଙ୍କା ଆବଣ୍ଟନ ହୋଇଛି । ଏହାବ୍ୟତୀତ ପିଏମ୍-ଶ୍ରୀ ଯୋଜନା ପାଇଁ ୩୦୭ କୋଟି, STARS ଯୋଜନା ପାଇଁ ୨୯୦ କୋଟି, ସମଗ୍ର ଶିକ୍ଷା ପାଇଁ ୨୭୧ କୋଟି, ପିଏମ୍-ପୋଷଣ ପାଇଁ ୧୧୭ କୋଟି, PM-JANMAN ପାଇଁ ୮୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ସ୍ୱାସ୍ଥ୍ୟସେବାରେ ବ୍ୟୟ ବରାଦ ହୋଇଛି ୧ ହଜାର ୨୪୬ କୋଟି ଟଙ୍କା । କୃଷକ କଲ୍ୟାଣ ପାଇଁ ୧ ହଜାର ୬୦୬ କୋଟି ଟଙ୍କା, ମହିଳା ସଶକ୍ତିକରଣ ପାଇଁ ୧ ହଜାର ୨୪୭ କୋଟି ଟଙ୍କା ଓ ସାମାଜିକ ସୁରକ୍ଷା ପାଇଁ ୭୩୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏମ୍ ଏସ୍ ଏମ୍ ଇ (MSME) ଓ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ପାଇଁ ୮୪୩ କୋଟି ଟଙ୍କା ରଖାଯାଇଥିବା ବେଳେ ଏଥିରେ ଔଦ୍ୟୋଗିକ ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଣ୍ଠି ପାଇଁ ୩୮୦ କୋଟି, ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ପାଇଁ ୨୬୫ କୋଟି ଏବଂ ସିଡ୍ ବି କ୍ଲଷ୍ଟର ଉନ୍ନୟନ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ । ସହରାଞ୍ଚଳ ବିକାଶ ପାଇଁ ୩୭୨ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯେଉଁଥିରେ ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ପାଇଁ ୧୭୪ କୋଟି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ ୧୦୦ କୋଟି, ସ୍ୱଚ୍ଛ ଓଡ଼ିଶା ଯୋଜନା ପାଇଁ ୬୦ କୋଟି ଏବଂ ପାନୀୟ ଜଳ ଯୋଗାଣର ‘ସୁଜଳା’ ଯୋଜନା ପାଇଁ ୫୦ କୋଟି ଟଙ୍କା ରହିଛି ।
