କଟକ : ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ନାଁରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ବାଲ୍ୟାସରା ପଞ୍ଚାୟତର ପୂର୍ବତନ ପିଇଓ ଜେ. ରାମା ରାଓ, କବିସୂର୍ଯ୍ୟନଗର ବ୍ଲକର କନିଷ୍ଠ ଯନ୍ତ୍ରୀ ସବ୍ୟସାଚୀ ଗନ୍ତାୟତ ଏବଂ ଠିକାଦାର କୃଷ୍ଣଚନ୍ଦ୍ର ବେହେରା । ଏହି ମାମଲାରେ ବାଲ୍ୟାସରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଝୁଲି ସେଠୀଙ୍କ ନାମ ମଧ୍ୟ ରହିଛି ।
ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ବାଲ୍ୟାସରା ପଞ୍ଚାୟତର ୫ଟି ଗାଁରେ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିବା ଦର୍ଶାଇ ବିଲ୍ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଯାଞ୍ଚ ବେଳେ ମାତ୍ର ୨୦ଟି ଲାଇଟ୍ ଲାଗିଥିବା ଜଣାପଡ଼ିଥିଲା । ବାକି ୧୦୨ଟି ଲାଇଟ୍ ଲଗାଯାଇ ନଥିଲା। ତଥାପି ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ୧୨୨ଟି ଲାଇଟ୍ ଲଗାଯାଇଥିବା ଦର୍ଶାଇ ଠିକାଦାରଙ୍କୁ ୭ ଲକ୍ଷ ୭୫ ହଜାର ୯୩୯ ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ୧୦୨ଟି ଲାଇଟ୍ ନ ଲଗାଇ ୬ ଲକ୍ଷ ୮୩ ହଜାର ୪୬୫ ଟଙ୍କା ହଡ଼ପ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ।
ସେହିପରି ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ବାବଦରେ ପୂର୍ବତନ ପିଇଓ ଜେ. ରାମା ରାଓଙ୍କୁ ୯୭ ହଜାର ୫୦୦ ଟଙ୍କା ଦିଆଯାଇଥିଲା । ମାତ୍ର ଯାଞ୍ଚ ବେଳେ ୪୧ ହଜାର ୪୯୩ ଟଙ୍କାର କାମ ହୋଇନଥିବା ଜଣାପଡ଼ିଥିଲା । ଏହି ଅର୍ଥ ମଧ୍ୟ ହଡ଼ପ କରାଯାଇଥିବା ଭିଜିଲାନ୍ସ ଦର୍ଶାଇଛି । ଉଭୟ ଘଟଣାରେ ମୋଟ ୭ ଲକ୍ଷ ୨୪ ହଜାର ୯୫୮ ଟଙ୍କାର ସରକାରୀ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗିରଫ ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଉଛି ।
