ଆଇପିଏଲ୍ ୨୦୨୭ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଜୋର ଧରିଛି । ନିଲାମ ପାଇଁ ମୋଟ ୧୨୨୦ ଜଣ ଖେଳାଳି ନିଜ ନାମ ପଞ୍ଜୀକରଣ କରିଛନ୍ତି । ଏଥିମଧ୍ୟରେ ୯୩୯ ଜଣ ଭାରତୀୟ ଓ ୨୮୧ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଆସନ୍ତା ଡିସେମ୍ବର ୧୬ରେ ଗୋଆରେ ମିନି ଅକ୍ସନ ଅନୁଷ୍ଠିତ ହେବ ।
ଆଇପିଏଲର ୧୦ଟି ଫ୍ରାଞ୍ଚାଇଜିରେ ମୋଟ ୬୬ଟି ସ୍ଥାନ ଖାଲି ରହିଛି । ଏଥିମଧ୍ୟରୁ ୨୫ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ଉପଲବ୍ଧ ରହିଛି । ନିଲାମ ପୂର୍ବରୁ ଫ୍ରାଞ୍ଚାଇଜିଗୁଡ଼ିକ ୧୮୪ ଜଣ ଖେଳାଳିଙ୍କୁ ନିଜ ଦଳରେ ରଖିଛନ୍ତି ।
ପଞ୍ଜୀକୃତ ଖେଳାଳିଙ୍କ ମଧ୍ୟରେ ୧୮୪ ଜଣ କ୍ୟାପଡ, ୯୯୪ ଜଣ ଅନ୍ କ୍ୟାପଡ ଏବଂ ଆଇସିସିର ସହଯୋଗୀ ସଦସ୍ୟ ଦେଶର ୪୨ ଜଣ ଖେଳାଳି ରହିଛନ୍ତି । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ସର୍ବାଧିକ ୫୩ ଜଣ, ଦକ୍ଷିଣ ଆଫ୍ରିକାର ୪୦, ୱେଷ୍ଟଇଣ୍ଡିଜର ୩୬, ନ୍ୟୁଜିଲାଣ୍ଡର ୨୫ ଓ ଆଫଗାନିସ୍ତାନର ୨୩ ଜଣ ଖେଳାଳି ରହିଛନ୍ତି ।
ବେନ୍ ଷ୍ଟୋକ୍ସ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଭଳି ଚର୍ଚ୍ଚିତ ଖେଳାଳି ମଧ୍ୟ ନିଲାମ ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି । ଖେଳାଳି କିଣିବା ପାଇଁ ୧୦ଟି ଫ୍ରାଞ୍ଚାଇଜି ନିକଟରେ ମୋଟ ୨୯୫ କୋଟି ୬୦ ଲକ୍ଷ ଟଙ୍କା ରହିଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିକଟରେ ସର୍ବାଧିକ ୪୭.୪୫ କୋଟି ଟଙ୍କା ଥିବାବେଳେ କୋଲକାତା ନାଇଟ୍ ରାଇଡର୍ସ ନିକଟରେ ୪୧.୬୫ କୋଟି ଓ ସନ୍ ରାଇଜର୍ସ ହାଇଦ୍ରାବାଦ ନିକଟରେ ୪୦.୧୫ କୋଟି ଟଙ୍କା ରହିଛି । ଗୁଜରାଟ ଟାଇଟନ୍ସ ନିକଟରେ ସର୍ବନିମ୍ନ ୮.୭୫ କୋଟି ଟଙ୍କା ରହିଛି ।
