ଜେନାପୁର – ଯାଜପୁର ଜିଲ୍ଲା ଧର୍ମଶାଳା ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପିର ମହାମିଶ୍ରଣ ପର୍ବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଲେ। ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ଏକ ବିରାଟ ସମାବେଶର ଆୟୋଜନ କରାଯାଇଥିଲା। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ସମାବେଶରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ସମାବେଶରେ ଶ୍ରୀ ସାମଲ ଯୋଗଦେଇ ଏ ସମ୍ବର୍ଦ୍ଧନା ସଭା ନୁହେଁ ଧନ୍ୟବାଦର ସଭା ବୋଲି କହିଥିଲେ। ରାଜ୍ୟରେ ସରକାର ପରିବର୍ତ୍ତନରେ ଯାଜପୁର ଜିଲ୍ଲାର ଭୂମିକା ଅଗ୍ରଭାଗରେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ
ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଧୀନ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବିଜେଡି ଦଳର ବହୁ ଛାମୁଆଁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ଦଳ ସଭାପତି ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।
