ଡକ୍ଟର ପବିତ୍ରମୋହନ ସାମନ୍ତରାୟଭଦ୍ରକ ଅଞ୍ଚଳର ଜଣାଶୁଣା ଜନନତା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ପୂର୍ବତନ ଛାତ୍ର ସଙ୍ଗଠକ, ବିଶିଷ୍ଟ ସମାଜଚିନ୍ତକ ସ୍ୱର୍ଗତ ଲକ୍ଷ୍ମୀ ମହାପାତ୍ର ଆମ ସମସ୍ତଙ୍କ ପ୍ରିୟ ଲକ୍ଷ୍ମୀ ଭାଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ପ୍ରକାଶିତ ହେବାକୁଥିବା ସ୍ମରଣିକାରେ ଦିପଦ ଲେଖିବା ପାଇଁ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ସାନଭାଇ ଧୀରେନ୍ଦ୍ର କରଙ୍କ ଠାରୁ ଶୁଣିଲା ପରେ ରାତି ତମାମ ଲକ୍ଷ୍ମୀ ଭାଇଙ୍କ ସହ ଭଦ୍ରକ ମହାବିଦ୍ୟାଳୟ ପଢ଼ିବା ସମୟର ସ୍ମୃତିର ଖିଅ ଫିଟିବାରେ ଲାଗିଥିଲା । ଲକ୍ଷ୍ମୀଭାଇଙ୍କ ପରି ଏକ ବିଶାଳ ବ୍ୟକ୍ତିତ୍ୱକୁ ଏକ ଲେଖା ମଧ୍ୟରେ ସୀମିତ କରି ରଖିବା ମୋ ପକ୍ଷେ ଆଦୌ ସମ୍ଭବ ନଥଲା । ତାଙ୍କ ସହ ଯଦିବା ଚଣ୍ଡିଖୋଲ ଛକଠାରେ ଥରେ ଦୁଇଥର ଭଦ୍ରକ ମହାବିଦ୍ୟାଳୟରେ ପଢ଼ିବା ସମୟ ପୂର୍ବରୁ ଦେଖା ସାକ୍ଷାତ ହୋଇଥିଲା । କିନ୍ତୁ ଅନ୍ତରଙ୍ଗତା ସୃଷ୍ଟି ହୋଇଥିଲା ପଢ଼ିବା ସମୟରେ । ପ୍ରଥମ ତାଙ୍କ ସହ ମୋର କଥାବାର୍ତ୍ତା ଓ ଆଲୋଚନା ଧାମନଗରର ସାଙ୍ଗ ବଟ ଏବଂ ଏବିଭିପିର ଛାତ୍ର ସଙ୍ଗଠକ ବିପ୍ଳବ ଭାଇଙ୍କ ସହ । ତାଙ୍କର ଛତ୍ରପତି ଶିବାଜୀଙ୍କ ପରି ଚେହେରା ଏବଂ ଏବିଭିପି ମାନେ ଅଟଳବିହାରୀ ବାଜପେୟୀଙ୍କ ସଙ୍ଗଠନ ଯେଉଁଥିପାଇଁ ସମ୍ପୃର୍ଣ୍ଣ ଛାତ୍ର ଜୀବନ ମୋର ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ହିଁ କଟିଥିଲା । ଲକ୍ଷ୍ମୀ ଭାଇଙ୍କ ମାଧ୍ୟମରେ ସେ ସମୟରେ ସମ୍ପର୍କରେ ଆସିଥିବା ବିଶିଷ୍ଟ ଏବିଭିପି ଛାତ୍ର ସଙ୍ଗଠକ ମନମୋହନ ସାମଲ, ବାଣିଜ୍ୟ ଅଧ୍ୟାପକ ସ୍ୱର୍ଗତ ଗୋକୁଲ ମହାପାତ୍ର, ଅର୍ଥନୀତି ଅଧ୍ୟାପକ ସ୍ୱର୍ଗତ କମଳାକାନ୍ତ ଦାସ, ବିଶିଷ୍ଟ ସମାଜସେବୀ ଓ ଶିଳ୍ପପତି ସ୍ୱର୍ଗତ ରାମଦାସ ଅଗ୍ରୱାଲ, ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ରାଖେଲ ଦାସ, ଆଡ଼େଭୋକେଟ ଚାନ୍ଦ, ସ୍ୱର୍ଗତ ନିରାକାର ଜେନା, ଅଧ୍ୟାପକ ବ୍ରଜକିଶୋର ମିଶ୍ର, ଅଧ୍ୟାପକ ସ୍ୱର୍ଗତ ପିତାମ୍ବର ସ୍ୱାଇଁ ପ୍ରଭୃତି ମହାନ ବ୍ୟକ୍ତି ବିଶେଷଙ୍କ ମାର୍ଗଦର୍ଶନ ମିଳିଥିଲା । ୧୯୮୮ ମସିହାରେ ଭଦ୍ରକ ମହାବିଦ୍ୟାଳୟ ଛାଡ଼ିବା ପରେ ଲକ୍ଷ୍ମୀଭାଇଙ୍କ ସହ ଦୀର୍ଘ ବର୍ଷ ପରେ ପୁନଃ ସାକ୍ଷାତ୍ ହୁଏ ମହାବାତ୍ୟା ସମୟରେ ଭଦ୍ରକର ତତ୍କାଳୀନ ଜିଲ୍ଲାପାଳ ବଡ଼ଭାଇ ସ୍ୱର୍ଗତ ଶ୍ରୀକାନ୍ତ ପାଇକରାୟଙ୍କ ମାଧ୍ୟମରେ । ଶ୍ରୀକାନ୍ତ ପାଇକରାୟ ଯିଏକି ତାଙ୍କ ସହପାଠୀ ତଥା ବାମପନ୍ଥୀ ସଙ୍ଗଠନର ଛାତ୍ରନେତା ଥିଲେ । ସେ ସମୟରେ ମୁଁ ମହର୍ଷି ଅନ୍ତରାଷ୍ଟ୍ରୀୟ ସଙ୍ଗଠନର ଓଡ଼ିଶାର ମୁଖ୍ୟ ଥାଏ । ଭଦ୍ରକରେ ଏକ ମହର୍ଷି ଶିକ୍ଷାନୁଷ୍ଠାନ ସ୍ଥାପନ ପାଇଁ ଦିଆଯାଇଥିବା ପ୍ରସ୍ତାବ ବିଷୟରେ ଶ୍ରୀକାନ୍ତ ଭାଇ ଲକ୍ଷ୍ମୀ ଭାଇଙ୍କ ସହ ଆଲୋଚନା କରିଥିଲେ ଯେଉଁଥି ପାଇଁ ମୁଁ ଲକ୍ଷ୍ମୀଭାଇଙ୍କ ଠାରୁ ଏକ ଫୋନକଲ ପାଇଥିଲି । ତା ପରେ ଯେବେ ବି ଲକ୍ଷ୍ମୀଭାଇଙ୍କ ସହ ଆଲୋଚନା ହୁଏ ଭଦ୍ରକ ମହାବିଦ୍ୟାଳୟକୁ ପଲ୍ଲିଭାରତୀ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା ଏବଂ ଭଦ୍ରକରେ ଏକ ମେଡ଼ିକାଲ କଲେଜ ସ୍ଥାପନା ସବୁବେଳେ ମୁଖ୍ୟ ପ୍ରସଙ୍ଗ ହିଁ ଥାଏ । ବ୍ରଜ ସାର୍, ଲକ୍ଷ୍ମୀଭାଇ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ଏ ବିଷୟରେ ଅନେକ ବାର ଆଲୋଚନା ହୋଇଛି ମୋର ଦୈନିକ ପର୍ଯ୍ୟବେକ୍ଷକର ସମ୍ପାଦନା ଦାୟିତ୍ୱ ନେବା ପରେ । ୨୦୦୮ ମସିହାରେ ତତ୍କାଳୀନ ସୂଚନା ପ୍ରସାରଣ ମନ୍ତ୍ରୀ ଓ ପ୍ରମୁଖ ସଚିବଙ୍କ ଆକ୍ରୋଶ ଓ ଷଡ଼ଯନ୍ତ୍ରର ଶିକାର ହୋଇଥିବା ସମୟରେ ଯେଉଁ ହାତଗଣତି ବ୍ୟକ୍ତିବିଶେଷଙ୍କ ଆଶିର୍ବାଦ ଓ ଶୁଭେଚ୍ଛା ମୋର ମୁଣ୍ଡ ଉପରେଥିଲା ଲକ୍ଷ୍ମୀଭାଇ ସେମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଥିଲେ ଅତ୍ୟନ୍ତ ସାହସୀ , ନିର୍ଭିକ ଓ ସ୍ପଷ୍ଟବାଦୀ ରାଜନେତା । ସବୁକଥାରେ ସିଧାସଳଖ ଓ ରୋକଠୋକ ଜବାବ ଦେଉଥିଲେ । ଅନେକ ଛାତ୍ର ନେତା ଓ ନେତା ତିଆରି କରିଥିବା ବ୍ୟକ୍ତି ସ୍ୱର୍ଗତ ଲକ୍ଷ୍ମୀ ମହାପାତ୍ର କେବେବି ପ୍ରତ୍ୟକ୍ଷ ନିର୍ବାଚନ ରାଜନୀତିରେ ଲଢ଼ିବାର ସୁଯୋଗ ପାଇନଥିଲେ । ୨୦୦୯ ମସିହାରେ ଭଦ୍ରକ କିମ୍ବା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବା ତାଙ୍କର ଇଚ୍ଛାଥିଲା । ମୁଁ ତାଙ୍କ ପ୍ରାର୍ଥୀତ୍ୱ ବିଷୟରେ ପ୍ୟାରୀ ବାବୁଙ୍କୁ (ଯିଏକି ସେତେବେଳେ ବିଜେଡ଼ିର ସର୍ବେସର୍ବା ଥିଲେ ) କହିବିକି ବୋଲି ଲକ୍ଷ୍ମୀଭାଇଙ୍କୁ ପଚାରିବାରୁ ସେ କହିଥିଲେ ଯେ ପ୍ୟାରୀ ବାବୁ ଆମ ପରି ଲୋକଙ୍କୁ ପସନ୍ଦ କରନ୍ତି କିନ୍ତୁ ନିର୍ବାଚନ ଲଢ଼େଇବେ ନାହିଁ । ତା ସତ୍ୱେ ମୁଁ ପ୍ୟାରୀ ବାବୁଙ୍କୁ ଭଦ୍ରକ କିମ୍ବା ଭଣ୍ଡାରିପୋଖରୀରୁ ଲକ୍ଷ୍ମୀ ଭାଇଙ୍କୁ ଅନ୍ତତଃ ପକ୍ଷେ ଥରେ ଲଢ଼ିବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଥିଲି । ପ୍ୟାରୀ ବାବୁ ହସି ହସି ଉତ୍ତର ଦେଇଥିଲେ ଲକ୍ଷ୍ମୀ ଗୋଟିଏ ବ୍ରେକ ଲେସ୍ ଗାଡ଼ି । ସେ ପ୍ରଥମେ ମୋ ଉପରେ ଚଢ଼ି ଯିବ… । ଅବଶ୍ୟ ୨୦୦୯ ନିର୍ବାଚନାରେ ଯୁଗଳ ବାବୁ ଭଦ୍ରକରୁ ଏବଂ ପ୍ରଫୁଲ ଭାଇ ଭଣ୍ଡାରିପୋଖରୀରୁ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିଲେ । ବିଗତ କିଛି ବର୍ଷ ଧରି ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଧର୍ମ ପତ୍ନୀ ସ୍ୱର୍ଗତ ସାବିତ୍ରୀ ମହାପାତ୍ରଙ୍କ ପରଲୋକର କିଛି ଦିନପରେ ଲକ୍ଷ୍ମୀ ଭାଇ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ । ଲକ୍ଷ୍ମୀ ଭାଇ ଓ ଭାଉଜ ଆମମାନଙ୍କ ପାଇଁ ସର୍ବଦା ଆଦର୍ଶ ଓ ପ୍ରେରଣା ଉତ୍ସ । ଯେଉଁଠି ବି ଥାଆନ୍ତୁ ଉଭୟଙ୍କୁ ପ୍ରଭୃ କୃପା ପ୍ରାପ୍ତ ହେଉ ।
ମୁଖ୍ୟ ସମ୍ପାଦକ,
ଦୈନିକ ପର୍ଯ୍ୟବେକ୍ଷକ ଓ ଦି କଳିଙ୍ଗ କ୍ରୋନିକିଲ,
ଭୁବନେଶ୍ୱର
