ନୂଆଦିଲ୍ଲୀ: ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜକୁ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବୋଲି କହି ଡେଙ୍ଗୁରା ପିଟୁଛନ୍ତି। ସେ ଗତ କିଛି ମାସ ହେଲାଣି ଏନେଇ ଲବି କରୁଥିବା ଦେଖାଯାଇଛି। ବିଶ୍ୱବ୍ୟାପୀ ଯୁଦ୍ଧ ବନ୍ଦ କରିବା ଏବଂ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରୁଥିବା ନେଇ ସେ ନିଜକୁ ଶ୍ରେୟ ଦେବା ସହିତ କେବଳ ସେ ହିଁ ଏହା କରିବାକୁ ସକ୍ଷମ ବୋଲି କହିଆସୁଛନ୍ତି। ତାଙ୍କ କହିବା ମୁତାବକ, ଆମେରିକୀୟ ଇତିହାସରେ ଅନେକ ରାଷ୍ଟ୍ରପତି ଏହି ସମ୍ମାନ ପାଇଛନ୍ତି, କିନ୍ତୁ ସେ ସବୁଠାରୁ ଯୋଗ୍ୟ। ତାଙ୍କ ଦାବି ମୁତାବକ, ସେ ୮ଟି ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିଛନ୍ତି।
ନୋବେଲ କମିଟି ଭେଶଜ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ସାହିତ୍ୟ ପାଇଁ ପୁରସ୍କାର ଘୋଷଣା କରି ନୋବେଲ ପୁରସ୍କାର ପ୍ରଦାନ ଆରମ୍ଭ କରିସାରିଛନ୍ତି। ଆଗକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମ ଘୋଷଣା ହେବାର ଅଛି। ଏମଧ୍ୟରେ ଟ୍ରମ୍ପ ନିଜେ ଏହି ପୁରସ୍କାର ପାଇବାକୁ କେତେ ଯୋଗ୍ୟ, ତାହା ଜଣାଇବାରେ ଲାଗିପଡ଼ିଛନ୍ତି।ଏହା ସହ ସେ ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମାଙ୍କୁ ଦିଆଯାଇଥିବା ନୋବେଲ୍ ପୁରସ୍କାର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। “ସେ କିଛି ନ କରିବା ସତ୍ତ୍ବେ ବି ପୁରସ୍କାର ପାଇଛନ୍ତି। ସେ ନିର୍ବାଚିତ ହେବା ପରେ ନୋବେଲ କମିଟି ଓବାମାଙ୍କୁ କେବଳ ଆମ ଦେଶକୁ ନଷ୍ଟ କରିବା ପାଇଁ ପୁରସ୍କାର ଦେଇଦେଲେ। ଓବାମା ଜଣେ ଭଲ ରାଷ୍ଟ୍ରପତି ନଥିଲେ” ବୋଲି ସେ କହିଛନ୍ତି।
