ନ୍ୟୁୟର୍କ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଗାଜାରେ ଶାନ୍ତି ଦାବି ଉପରେ ପ୍ରଶ୍ନ ଉଠାଇ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ତାଙ୍କ ଭାଷଣରେ କହିଛନ୍ତି ଯେ ଗାଜାର ବର୍ତ୍ତମାନର ପରିସ୍ଥିତି ସମଗ୍ର ବିଶ୍ୱ ପାଇଁ ଲଜ୍ଜାର ବିଷୟ। ସେଠାକାର ଲୋକମାନେ ପାଣି, ଔଷଧ ଏବଂ ରିଲିଫ୍ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି, ତେଣୁ କେବଳ ଶାନ୍ତି ଦାବି କଲେ ପରିସ୍ଥିତିରେ ପରିବର୍ତ୍ତନ ହେବ ନାହିଁ। ଗାଜା ଯୁଦ୍ଧ ଶେଷ ହୋଇଛି ଏବଂ ତାଙ୍କର ୨୦-ସୂତ୍ରୀ ଶାନ୍ତି ଯୋଜନା ସଫଳ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବାର କିଛି ଘଣ୍ଟା ପରେ ମାକ୍ରନ ଏଭଳି ମନ୍ତବ୍ୟ ଦେଇ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି।ମାକ୍ରନ୍ କହିଛନ୍ତି, କେବଳ ପାଲେଷ୍ଟାଇନକୁ ମାନ୍ୟତା ଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଜାତିସଂଘ ସାଧାରଣ ପରିଷଦରେ ଅନେକ ଦେଶ ପାଲେଷ୍ଟାଇନକୁ ସ୍ୱୀକୃତି ଦେଇଥିଲେ। ସେତେବେଳେ ମଧ୍ୟ କିଛି ଲୋକ କହିଥିଲେ ଯେ, କେବଳ ସ୍ୱୀକୃତି ପ୍ରଦାନ କଲେ ପରିସ୍ଥିତିରେ ପରିବର୍ତ୍ତନ ହେବ ନାହିଁ। ଯଦି ଆଜି ମଧ୍ୟ ଗାଜା ଲୋକଙ୍କ ସମସ୍ୟା କମିନାହିଁ ଏବଂ ବିଶ୍ୱ କିଛି କରୁନାହିଁ, ତେବେ ପାଲେଷ୍ଟାଇନକୁ ମାନ୍ୟତା ଦେବାର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
ପ୍ରତିଦିନ ନୂତନ ଘଟଣା ଘଟୁଛି
ୱେଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନୀଙ୍କ ଉପରେ ବୃଦ୍ଧି ପାଉଥିବା ହିଂସା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ସେଠାରେ ପ୍ରାୟ ପ୍ରତିଦିନ ନୂତନ ଘଟଣା ଘଟୁଛି। ୱେଷ୍ଟ ବ୍ୟାଙ୍କରେ ପ୍ରତ୍ୟେକ ଘଟଣା ପାଇଁ ହମାସକୁ ଦାୟୀ କରାଯାଇପାରିବ ନାହିଁ। ଇସ୍ରାଏଲ ପଡ଼ୋଶୀଙ୍କ ସାର୍ବଭୌମତ୍ୱ ଏବଂ ସୀମାକୁ ସମ୍ମାନ ନ ଦେବା ଯାଏଁ ଇସ୍ରାଏଲର ସୁରକ୍ଷା ସୁଦୃଢ଼ ହେବ ନାହିଁ। ଏପରି କାର୍ଯ୍ୟ ଦୀର୍ଘକାଳୀନ ଭାବରେ ଇସ୍ରାଏଲର ସୁରକ୍ଷାକୁ ଦୁର୍ବଳ କରିପାରେ।
ମାକ୍ରନଙ୍କ ମନ୍ତବ୍ୟ ପରେ, ହ୍ୱାଇଟ୍ ହାଉସ୍ ଟ୍ରମ୍ପଙ୍କ ସପକ୍ଷରେ ବାହାରିଛି। ମୁଖପାତ୍ର ଆନ୍ନା କେଲି କହିଛନ୍ତି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବନ୍ଦ କରିବାରେ ଟ୍ରମ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସମସ୍ତ ଜୀବିତ ବନ୍ଧକଙ୍କୁ ମୁକ୍ତ କରାଯାଇଛି ଏବଂ ନିହତ ଲୋକଙ୍କ ମୃତଦେହ ସେମାନଙ୍କ ପରିବାରକୁ ଫେରାଇ ଦିଆଯାଇଛି। ଟ୍ରମ୍ପ ଏବେ ଗାଜାରେ ତାଙ୍କର ୨୦-ସୂତ୍ରୀ ଶାନ୍ତି ଯୋଜନାକୁ ଆଗକୁ ବଢ଼ାଇବା ପାଇଁ କାମ କରୁଛନ୍ତି। ଟ୍ରମ୍ପ ଏହି ପ୍ରସଙ୍ଗରେ କାମ କରୁଥିବା ସମୟରେ ଅନେକ ଲୋକ କେବଳ ବୟାନ ବାଜି ଜାରି ରଖିଛନ୍ତି।
