ନୂଆଦିଲ୍ଲୀ: ଚଳିତ ବର୍ଷର ଦୀପାବଳି କେବଳ ଆଲୋକ ଏବଂ ମିଠାର ପର୍ବ ନଥିଲା; ଏହା ଭାରତୀୟ ଅର୍ଥନୀତି ପାଇଁ ଏକ ଐତିହାସିକ ମୋଡ଼ ଦେଇଥିଲା। ଦେଶର ବଜାରଗୁଡ଼ିକ ପୂର୍ବ ସମସ୍ତ ବିକ୍ରୟ ରେକର୍ଡ ଭାଙ୍ଗି ଦେଇଥିଲା। କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ଏକ ବିସ୍ତୃତ ରିପୋର୍ଟରୁ ଜଣାପଡିଛି ଯେ, ଭାରତ ଚଳିତ ପାର୍ବଣ ଋତୁରେ ରେକର୍ଡ ଭାଙ୍ଗି ୬.୦୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରିଛି।
ଏହି ସଂଖ୍ୟା ଏତେ ବଡ଼ ଯେ, ଏହା ଦେଶର ବ୍ୟବସାୟ ଇତିହାସରେ ସବୁଠାରୁ ବୃହତ ପାର୍ବଣ ବିକ୍ରୟ ପାଲଟିଛି। ଏହି ଅଭୂତପୂର୍ବ ସଫଳତା କେବଳ ବଜାରକୁ ପୁନର୍ଜୀବିତ କରିନାହିଁ ବରଂ “ଆତ୍ମନିର୍ଭର ଭାରତ” ଭାବନାର ଏକ ଜବରଦସ୍ତ ବିଜୟ ପାଲଟିଛି।
CATର ଗବେଷଣା ଶାଖା ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଦେଶର ୬୦ଟି ପ୍ରମୁଖ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଯେଉଁଥିରେ ସମସ୍ତ ରାଜ୍ୟ ରାଜଧାନୀ ସହିତ ଦ୍ବିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ ସହର ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା। ଏହି ରିପୋର୍ଟରେ ଭାରତର ପାରମ୍ପରିକ ଖୁଚୁରା ବଜାର କେତେ ଦୃଢ଼ ଭାବରେ ଆଗକୁ ବଢୁଛି ତାହାର ଏକ ଚିତ୍ର ଦର୍ଶାଯାଇଛି।
