ନୂଆଦିଲ୍ଲୀ: ବୁଧବାର ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬୩ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।ଉଗାଣ୍ଡା ପୁଲିସ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତ ପରେ ସ୍ଥାନୀୟ ପୁଲିସର ରିପୋର୍ଟ ଅନୁଯାୟୀ, ଦୁଇଟି ବସ୍ ସମେତ ଚାରୋଟି ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ବସ୍ ଚାଳକ କାମ୍ପାଲା-ଗୁଲୁ ରାଜପଥରେ ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହି ସମୟରେ ବସଟି ବିପରୀତ ଦିଗରୁ ଆସୁଥିବା ଏକ ଲରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଫଳରେ ବସ ପଛରୁ ଆସୁଥିବା ଅନେକ ଗାଡ଼ି ପରସ୍ପର ସହିତ ଧକ୍କା ଖାଇଥିଲା।
