ରାୟଗଡ଼ା: ବନ୍ୟପ୍ରାଣୀ ଓ ପକ୍ଷୀ ସଂରକ୍ଷଣ ପ୍ରତି ଜଣେ ସାଧାରଣ ଶିକ୍ଷକଙ୍କ ଅସାଧାରଣ ପ୍ରେମ ଏବଂ ସେବା ରାଜ୍ୟସ୍ତରରେ ସ୍ୱୀକୃତି ମିଳିଲା। ରାୟଗଡ଼ା ସବ୍-ଡିଭିଜନର ଶିକ୍ଷକ ଶ୍ରୀ ତାପସ କୁମାର ଦଳାଇଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ “ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର” ଦିଆଗଲା।
ପେସାରେ ଜଣେ ଶିକ୍ଷକ ହେଲେ ମଧ୍ୟ, ତାପସଙ୍କ ମନରେ ପ୍ରକୃତି ପ୍ରତି ଭଲପାଇବା ଓ ପଶୁପକ୍ଷୀ ପ୍ରତି ମମତା ତାଙ୍କୁ ଅନ୍ୟମାନଙ୍କୁ ଠାରୁ ଅଲଗା କରିଛି। ସେ ବିଦ୍ୟାଳୟ ଓ ଗ୍ରାମ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲାଇ ଆସୁଛନ୍ତି, ପକ୍ଷୀ ଓ ପଶୁମାନଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା ହେଉ କି ବନ୍ୟପ୍ରାଣୀଙ୍କ ସୁରକ୍ଷା ସନ୍ଦେଶ — ସବୁଠି ତାଙ୍କ ନିଜସ୍ଵ ଅଭିଯାନ ଚାଲିଛି।
ଏହି ସଫଳତା ପାଇଁ କୋରାପୁଟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ସବ୍-ଡିଭିଜନର ମଧ୍ୟରୁ ମାତ୍ର ଛଅ ଜଣଙ୍କୁ ଚୟନ କରାଯାଇଥିଲା। ସେଥିରେ ରାୟଗଡ଼ା ସବ୍-ଡିଭିଜନରୁ ଶ୍ରୀ ତାପସ କୁମାର ଦଳାଇ ଏବଂ ଗୁଣପୁର ସବ୍-ଡିଭିଜନରୁ ଶ୍ରୀ ଗୌରାଙ୍ଗ ଚରଣ ରାଉତ ଚୟନିତ ହୋଇଥିଲେ।
ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ସୁବ୍ରତ କୁମାର ଆଚାରୀଙ୍କ ହସ୍ତରେ ସେମାନଙ୍କୁ ପ୍ରମାଣପତ୍ର ସହିତ ପଚିଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ରାୟଗଡ଼ ରେଞ୍ଜ ଅଫିସର ଶ୍ରୀ କାମେଶ୍ଵର ଆଚାରୀ ଓ ବନ ବିଭାଗର ଅନେକ କର୍ମଚାରୀ ଉପସ୍ଥିତ ଥିଲେ।
ପୁରସ୍କାର ଗ୍ରହଣ କରି ତାପସ ଦଳାଇ କହିଛନ୍ତି,
“ପରିବେଶ ଓ ପଶୁପକ୍ଷୀ ଆମ ଜୀବନର ଅଂଶ। ଘରେ ଥିବା ପ୍ରତ୍ୟେକ ବ୍ୟକ୍ତି ଯଦି ଗୋଟିଏ ଡିଶ୍ ଜଳ ଓ କିଛି ଅନ୍ନ ରଖିଦିଅନ୍ତି, ତେବେ ଅନେକ ଜୀବନ ରକ୍ଷିତ ହେବ।”
ସେ ଆହୁରି କହିଛନ୍ତି ଯେ, ଏହି ସମ୍ମାନ ତାଙ୍କ ପିତାମାତା, କଲ୍ୟାଣସିଂହପୁର ରେଞ୍ଜ ଅଫିସର ଶ୍ରୀ ଚନ୍ଦନ ଗମାଙ୍ଗ, ବିଦ୍ୟାଳୟର ସହକର୍ମୀ ଓ ଗ୍ରାମବାସୀମାନଙ୍କ ଭଲପାଇବା ଓ ସହଯୋଗର ଫଳ।
ତାପସଙ୍କ ଏହି ଉଦାହରଣ ରାୟଗଡ଼ା ଜିଲ୍ଲାରେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ନୂଆ ପ୍ରେରଣା ସୃଷ୍ଟି କରିଛି — ଯେଉଁଠାରେ ଜଣେ ଶିକ୍ଷକ ନିଜ ପ୍ରୟାସରେ ପରିବେଶକୁ ସୁରକ୍ଷିତ ଓ ସଜୀବ ରଖିବାର ମିଶନ ନେଇଛନ୍ତି।
