ପୋଲସରା: ବାଇଶି ବର୍ଷ ପରେ ପୋଲିସକୁ ମିଳିଲା ସଫଳତା । ପୋଲସରା ଏନ୍.ଏ.ସି.ର ପାଟିଗଡ଼ ଗାଁର ଲିଙ୍ଗରାଜ ପାତ୍ର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଦୁଇ ଦଶନ୍ଧି ପରେ ଗିରଫ କଲା ପୋଲସରା ଥାନା ପୋଲିସ । ସାଙ୍ଗ ସାଜିଥିଲା ହତ୍ୟାକାରୀ । ନିଜ ସାଙ୍ଗକୁ ହତ୍ୟା ପରେ ମୁଖ୍ୟ ଅଭିଯୁକ୍ତ ସଚିନ୍ଦ୍ର ସାହାଣୀ ଫେରାର ହୋଇଯାଇଥିଲା । ଏବେ କୌଣସି ସୂତ୍ରରୁ ଖବର ପାଇ ଗୁଜୁରାଟର ସୁରତରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲସରା ଥାନା ପୋଲିସ ।
ମୃତ ଲିଙ୍ଗରାଜ ଓ ସଚିନ୍ଦ୍ର ଗାଁରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା । ୨୦୦୩ ମସିହା ମାର୍ଚ୍ଚ ୨୫ ତାରିଖ ଅପରାହ୍ନରେ ଲିଙ୍ଗରାଜ ନିଜ ଦୋକାନକୁ ଯିବା ସମୟରେ ସେହି ଗାଁର ସଚିନ୍ଦ୍ର ସାହାଣୀ ଓ ତାଙ୍କର ୬ ସହଯୋଗୀ ଗାଳିଗୁଲଜ କରି ଗଣ୍ଡଗୋଳ କରିଥିଲେ । ଗାଁ ଦାଣ୍ଡରେ ଲିଙ୍ଗରାଜଙ୍କୁ ଖଣ୍ଡାରେ ହାଣି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ ।
ହତ୍ୟା ପରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବେଳେ ପରିବାର ଲୋକେ ସେହି ସମୟର କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କବିସୂର୍ଯ୍ୟନଗର ଥାନାରେ୨୦୦୩ରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ହତ୍ୟା ଘଟଣାରେ ସଂପୃକ୍ତ କିଛି ସହଯୋଗୀ ମାନଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଦୁଇ ଅଭିଯୁକ୍ତ ଫେରାର ଥିଲେ ।
ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପରିବାର ଲୋକେ ବହୁବାର ଦାବୀ ପରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ଥାନାଧିକାରୀ କୌଶିକ ମାଝୀ ସ୍ବତନ୍ତ୍ର ଏକ ଟିମ୍ ଗଠନ କରି ମୁଖ୍ୟ ଅଭିଯୁକ୍ତ ସଚିନ୍ଦ୍ର ସାହାଣୀଙ୍କୁ ଗୁଜୁରାଟର ସୁରତ ସହରରୁ ଗିରଫ କରିଛି । ସୁରତରୁ ଗିରଫ ପରେ ଅଭିଯୁକ୍ତକୁ ପୋଲସରା ଥାନାକୁ ହସ୍ତାନ୍ତର କରାଯାଇଛି । ପୋଲସରା ଥାନା ପୋଲିସ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି l ତେବେ ବର୍ତ୍ତମାନ ମଧ୍ୟ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ କରିବାକୁ ଦାବି କରିଛନ୍ତି ମୃତ ଲିଙ୍ଗରାଜଙ୍କ ସମ୍ପର୍କୀୟ ।
