ଝରିଗାଁ (ରମେଶ ପଟ୍ଟନାୟକ):ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଶକ୍ତି ପଦର୍ଶନ କରିଛନ୍ତି। ଆଜି ସକାଳୁ ସ୍ଥାନୀୟ ଧନୁଯାତ୍ରା ପଡ଼ିଆରେ ସ୍ଥାନୀୟ ଚାଷୀଙ୍କ ନେତୃତ୍ୱରେ ଝରିଗାଁ ବ୍ଳକର ଶହଶହ ଚାଷୀ ଏକତ୍ରିତ ହୋଇଥିଲେ। ପରେ ଝରିଗାଁ ବ୍ଳକର ସମସ୍ତ ଚାଷୀ ଏକ ବିରାଟ ଶୋଭାଯାତ୍ରା କରି ଝରିଗାଁ ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ। ତମ୍ବୁଦାସ ପନକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଉପସ୍ଥିତ ରହି ସରକାରଙ୍କୁ କଡା ଚେତାବନୀ ଦେଇଥିଲେ।
ଏସିଆ ମହାଦେଶରେ ନବରଙ୍ଗପୁର ଜିଲ୍ଲାରେ ଅଧିକ ମକା ଚାଷ ହେଉଥିବା ବେଳେ ମକା ଚାଷୀ ଉଚିତ ମୂଲ୍ୟରେ ମକା ବିକ୍ରି କରିପାରୁନଥିବା କହିଥିଲେ। ଚଳିତ ବର୍ଷ ମକା ଦର ହ୍ରାସ ପାଇଥିବା ବେଳେ ଚାଷୀ ମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ୧୫ ଦିନ ମଧ୍ୟରେ ଚାଷୀଙ୍କ ମକା ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ସରକାର ବ୍ୟବସ୍ଥା ନକଲେ ୨୦ ତାରିଖ ଦିନ ଅଧା ନବରଙ୍ଗପୁର ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ବିଶେଷ କରି ଜିଲ୍ଲାର ଝରିଗାଁ ବ୍ଲକ ସହ ରାଇଘର ଏବଂ ଉମରକୋଟ ବ୍ଲକର ଚାଷୀ ମାନଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି କହିଥିଲେ।
