ଯାଜପୁର ରୋଡ୍ : ଯାଜପୁର ରୋଡ୍ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ଓଡ଼ିଶା ଉଦ୍ଭିଦ ବିଜ୍ଞାନ ସମାଜ (ଓଡ଼ିଶା ବଟାନିକାଲ୍ ସୋସାଇଟି)ର ମିଳିତ ଆନୁକୂଲ୍ୟରେ ଗୁରୁବାର କଲେଜ ସମ୍ମିଳନୀ କକ୍ଷରେ ‘ଓଡ଼ିଶାର ଜୈବସମ୍ବଳ ଏବଂ ମାନବ କଲ୍ୟାଣରେ ସେମାନଙ୍କର ଉପଯୋଗ” ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l

ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଭାତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଦେଇ ଓଡ଼ିଶାର ସମୃଦ୍ଧ ଜୈବସମ୍ବଳ ଉପରେ ଜ୍ଞାନ ବଣ୍ଟନ ପାଇଁ ଏକ ମଞ୍ଚ ସୃଷ୍ଟି କରିବାର ପ୍ରୟାସକୁ ପ୍ରଶଂସା କରିଥିଲେ। ଅଧ୍ୟାପିକା ଡ. ପ୍ରତିଭା ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ତଥା ଓଡ଼ିଶା ଉଦ୍ଭିଦ ସମାଜର ସଭାପତି ପ୍ରଫେସର କୁଞ୍ଜ ବିହାରୀ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଞ୍ଚଳିକ ଜୈବ ସମ୍ପଦ ସଂରକ୍ଷଣ ଏବଂ ପ୍ରଭାବଶାଳୀ ବ୍ୟବହାରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଓଡ଼ିଶା ଉଦ୍ଭିଦ ବିଜ୍ଞାନ ସମାଜର କୋଷାଧ୍ୟକ୍ଷ ତଥା ଏସ୍.ଜେ. କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଆଶୀର୍ବାଦ ମହାପାତ୍ର, ଭିଏନ ସ୍ୱୟଂଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ପୂର୍ବତନ ପ୍ରାଧ୍ୟାପକ ସଚ୍ଚିଦାନନ୍ଦ ତ୍ରିପାଠୀ ଏବଂ ବିନୋଦ ବିହାରୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି ଆଲୋଚନାଚକ୍ର ମାନବ କଲ୍ୟାଣ ନିମନ୍ତେ ଓଡ଼ିଶାର ଜୈବ ସମ୍ପଦର ସ୍ଥାୟୀ ବ୍ୟବହାର ବିଷୟରେ ଆଲୋଚନା କରିବା ପାଇଁ ଏକ ଅର୍ଥପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି । କଲେଜର ଛାତ୍ରଛାତ୍ରୀ ଏବଂ ଅଧ୍ୟାପିକା ଅଧ୍ୟାପକମାନେ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।
