କାଠମାଣ୍ଡୁ:ଏବେ ନେପାଳରେ ୨୦୦ ଏବଂ ୫୦୦ ଟଙ୍କାର ଭାରତୀୟ ମୁଦ୍ରା ନୋଟ୍ ଏବେ ଚଳିବ। ଏକ ନେପାଳୀ ଖବରକାଗଜ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ଏକ ଦଶନ୍ଧି ପରେ ନେପାଳ ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ମୁଦ୍ରା ନୋଟ୍ ପ୍ରଚଳନ କରିବାକୁ ଯୋଜନା କରୁଛି। ହିମାଳୟ ପାଦଦେଶରେ ଥିବା ଭାରତର ଏହି ପଡ଼ୋଶୀ ଦେଶରେ ପ୍ରାୟ ୧୦ ବର୍ଷ ଧରି ଉଚ୍ଚ ମୂଲ୍ୟର ଭାରତୀୟ ମୁଦ୍ରା ନୋଟ୍ ନିଷିଦ୍ଧ କରାଯାଇଥିଲା।
କାଠମାଣ୍ଡୁ ପୋଷ୍ଟ ନେପାଳୀ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି ଯେ, ଏହି ପଦକ୍ଷେପ ଭାରତ ଯାତ୍ରା କରୁଥିବା ନେପାଳୀ ପ୍ରବାସୀ ଶ୍ରମିକ, ଛାତ୍ର, ତୀର୍ଥଯାତ୍ରୀ, ଡାକ୍ତରୀ ପରିଦର୍ଶକ ଏବଂ ଉଭୟ ଦେଶର ପର୍ଯ୍ୟଟକଙ୍କ ମୁଦ୍ରା ସମ୍ବନ୍ଧୀୟ ସମସ୍ୟାକୁ ଯଥେଷ୍ଟ ହ୍ରାସ କରିବ।ନେପାଳ ରାଷ୍ଟ୍ର ବ୍ୟାଙ୍କ (NRB) ମୁଖପାତ୍ର ଗୁରୁ ପ୍ରସାଦ ପାଉଡେଲ କହିଛନ୍ତି, ଆମେ ଏ ସମ୍ପର୍କରେ ନେପାଳ ଗେଜେଟରେ ଏକ ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରସ୍ତୁତ ହେଉଛୁ। ଏହା ପରେ, ଆମେ ନୂତନ ନିୟମ ସମ୍ପର୍କରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏକ ସର୍କୁଲାର ଜାରି କରିବୁ। ପାଉଡେଲ କହିଛନ୍ତି ଯେ, ଏହି ନୂତନ ନିୟମ ପାଇଁ ଆନୁଷ୍ଠାନିକ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି।
