ଯାଜପୁର : ଯାଜପୁର ଧର୍ମଶାଳାରେ ପୁଣି ଅଶାନ୍ତି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ପୂର୍ବତନ ବିଧାୟକଙ୍କ ସାମାଜିକ ଗଣମାଧ୍ୟମ ପାଇଁ କାମ କରୁଥିବା କର୍ମୀମାନେ ପନ୍ତୁରୀ ସ୍ଥିତ ଫାର୍ମ ହାଉସରେ ଏକାଠି ହୋଇ ବୈଠକ କରୁଥିଲେ । ଏହି ସମୟରେ କିଛି ଦୁର୍ବୁତ୍ତ ଫାର୍ମ ହାଉସ ଗେଟ ସମ୍ମୁଖରେ ହୋହାହ୍ଲା କରିବା ସହ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି ।
ଏଥିସହ ଫାର୍ମ ଭିତରକୁ ଧସେଇ ପଶି ସଙ୍ଘବଦ୍ଧ ଆକ୍ରମଣ ମଧ୍ୟ କରିଥିଲେ । ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହି ଆକ୍ରମଣରେ ୫ରୁ ଅଧିକ କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି । ଖବର ପାଇ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
